ଆଜିଠୁ ଦୁଲୁକିବ ଖଣ୍ଡଗିରି, ଯାତ୍ରା ଲଢ଼େଇ ଆରମ୍ଭ
ଭୁବନେଶ୍ବର: ଆଜିଠୁ କମ୍ପିବ ଯାତ୍ରା ପେଣ୍ଡାଲ। ଦୁଲୁକିବ ଖଣ୍ଡଗିରି। ସଂଳାପ ଭାଙ୍ଗିବ ରାତିର ନିରବତା । ଯାତ୍ରା ଲଢ଼େଇ ପୂର୍ବରୁ ଟିକେଟ୍ କାଊଣ୍ଟରେ ଆରମ୍ଭ ହୋଇଛି ଠେଲାପେଲା। ପୀୟୂଷ ତ୍ରିପାଠୀଙ୍କ ଅଭିନୟ ଦେଖିବାକୁ ଲମ୍ବା ଲାଇନ୍। ସିଂହବାହିନୀ ଟିକେଟ କାଉଣ୍ଟରରେ ପୀୟୂଷଙ୍କ ଫ୍ୟାନମାନେ ଟିକେଟ କିଣିବାକୁ ଲଗାଇଲେଣି ଭିଡ଼। ସେପଟେ ଯାତ୍ରା ପ୍ରେମୀଙ୍କୁ ଆକର୍ଷିତ କରିବା ପାଇଁ ପୀୟୂଷଙ୍କ ବଡ଼ ବଡ଼ ପୋଷ୍ଟର ଲଗାଇଛି ଯାତ୍ରା ସିଂହବାହିନୀ। ନାଟ୍ୟକାର ଡ.ଦୀପକ ଜେନାଙ୍କ ରଚିତ ନାଟକ ତୁ ମୋ ବଜରଙ୍ଗୀ ଏ ବର୍ଷ ର ସୁପରହିଟ ନାଟକ ସାବ୍ୟସ୍ତ ହୋଇସାରିଥିବା ବେଳେ ଖଣ୍ଡଗିରି ଇନ୍ଦିରା ସାଂସ୍କୃତିକ ସମିତି ପକ୍ଷରୁ ଏହି ନାଟକ ମଞ୍ଚସ୍ଥ କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ଯାତ୍ରା ମଞ୍ଚସ୍ଥ ପାଇଁ ସବୁ ପ୍ରସ୍ତୁତି ସରିଛି । ୨୭ରୁ ୭ ତାରିଖ ଯାଏ ଚାଲିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ନାମକରା ଅପେରା ପାର୍ଟି ନାଟକ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ । ଏବର୍ଷ ଡ଼ଃ ହରେକୃଷ୍ଣ ମହତାବ ସାସ୍କୃତିକ ପରିଷଦ, ଆଇଗିଣିଆ ମଞ୍ଚରେ ଅପେରା ‘ଅଶାକ ସମ୍ରାଟ’ ପ୍ରଥମେ ମଇଦାନକୁ ଓହ୍ଲାଉଛି । ପାର୍ଟି ତା’ର ବହୁ ଚର୍ଚ୍ଚିତ ନାଟକ ‘ଅଧା ରହିଗଲା ଆମ କାହାଣୀ’ ମଂଚସ୍ଥ କରିବ । ଏଥିରେ ଅଭିନେତା ମିଲନ, ସିନେ ଅଭିନେତା ଅଙ୍କିତ, ଖଳନାୟକ ମନୋଜ, କମେଡିଆନ ଗଣେଶ, ଅଭିନେତ୍ରୀ ସାରା ଓ ଖଳନାୟିକା ସରୋଜିନୀ ଭଳି କଳାକାର ଅଭିନୟ କରୁଛନ୍ତି । ସନାତନ ସେବା ସମିତି, ଘାଟିକିଆ ମଂଚରେ ପ୍ରଥମେ ମଇଦାନକୁ ଓହ୍ଲାଉଛି ‘କୋଣାର୍କ ଗଣନାଟ୍ୟ’ । ପାର୍ଟି ତା’ର ଚର୍ଚ୍ଚିତ ନାଟକ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ମଞ୍ଚସ୍ଥ କରିବ । ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ, ଜାଗମରା ମଞ୍ଚରେ ଯାତ୍ରା ସିଂହବାହିନୀ ବହୁ ଚର୍ଚ୍ଚିତ ନାଟକ ‘ତୁ ମୋ ବଜରଙ୍ଗୀ’ ପରିବେଷଣ କରିବ ।
ଏଥିରେ ଅଭିନେତା ପୀୟୁଷ, କ୍ଷୀତିଶ, ସ୍ୱିଟି, ବବଲୁ ପ୍ରମୁଖ ଅଭିନୟ କରିଛନ୍ତି । ଶେଷରେ ଅନନ୍ତ କେଶରୀ ଦେବ ସାଂସ୍କୃତିକ ଯୁବ ପରିଷଦ, ଖଣ୍ଡଗିରି ମଞ୍ଚରେ ଧଉଳି ପକ୍ଷରୁ ନାଟକ ‘ଚଣ୍ଡାଶୋକ’ ପରିବେଷଣ କରାଯିବ । ଏଥିରେ ଅଭିନେତା ରୁଦ୍ର, ସ୍ମରଣିକା, ଲକ୍ଷ୍ମୀଧର, ଆକାଶ ପ୍ରମୁଖ ଅଭିନୟ କରିବେ । ମା ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜାଗମରା ମଞ୍ଚରେ ୨୯ ତାରିଖରୁ ଯାତ୍ରା ‘ସ୍ୱର୍ଣ୍ଣ ମହଲ’ ପକ୍ଷରୁ ନାଟକ ପରିବେଷଣ ହେବ । ଜୟ ଦୁର୍ଗା ସାଂସ୍କୃତିକ ପରିଷଦ, ଜାଗମରା ମଞ୍ଚରେ ୨୯ ତାରିଖରୁ ଅପେରା ଶ୍ରୀମନ୍ଦିର ମଞ୍ଚସ୍ଥ କରିବ ‘ଜାନୱର’, ଏଥିରେ ଅଭିନେତା କାହ୍ନା ସ୍ୱାଇଁ, ଟିକି ରହିଛନ୍ତି । କଳିଙ୍ଗ ସାଂସ୍କୃତିକ ପରିଷଦ, ଜାଗମରା,ମଞ୍ଚରେ ୩୦ ତାରିଖରୁ ଯାତ୍ରା ‘ଇନ୍ଦ୍ରଭୁବନ’ ନାଟକ ପରିବେଷଣ କରିବେ ।
Powered by Froala Editor