ଏଣିକି ପ୍ରତିମାସର ୧ ଓ ୧୫ ରେ ନିୟମିତ ଭାବେ ସଚିବସ୍ତରୀୟ ବୈଠକ
ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ସଚିବ ଅନୁ ଗର୍ଗ ଏବେ ଆକ୍ସନମୋଡରେ । ସରକାରୀ ପାଣ୍ଠିର ସୁବିନିଯୋଗ କରିବା ପାଇଁ ଅଦରକାରୀ ଓ ପୁରୁଣା ଯୋଜନାଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକ ବନ୍ଦ କରିବା ଅବା ଅନ୍ୟ ଯୋଜନା ସହ ମିଶ୍ରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ପ୍ରତିମାସର ୧ ଓ ୧୫ତାରିଖରେ ନିୟମିତ ଭାବେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ ବିଭିନ୍ନ ବିଭାଗର ଖର୍ଚ୍ଚ ଓ ରାଜସ୍ୱ ଆଦାୟଗୁଡ଼ିକର ସମୀକ୍ଷା କରାଯିବ। ଏହାସହିତ ପ୍ରତ୍ୟେକ ସୋମବାର କୌଣସି ବୈଠକ ନକରିବା ଓ ଅଭିଯୋଗ ଶୁଣାଣି ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିବା ନିମନ୍ତେ ପୂର୍ବରୁ ଜାରି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ ନିମନ୍ତେ ତାଗିଦ୍ କରିଛନ୍ତି । ରାଜ୍ୟ ପ୍ରଶାସନକୁ ଅଧିକ କାର୍ୟ୍ୟଦକ୍ଷ, ସୁଦୃଢ଼ ଓ ପାରଦର୍ଶୀ କରିବା ପାଇଁ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଏହି ବଡ଼ଧରଣର ପ୍ରଶାସନିକ ସଂସ୍କାର ପାଇଁ ନିଷ୍ପତ୍ତି ନିଆଯାଇଛି ।ଜାନୁୟାରୀ ୧ରେ ଅନୁ ଗର୍ଗ ମୁଖ୍ୟ ସଚିବ ଦାୟିତ୍ୱ ନେବାପରେ ୧୫ତାରିଖରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ପ୍ରଶାସନିକ କାର୍ୟ୍ୟକୁ ଅଧିକ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଯେଉଁ ଯୋଜନାଗୁଡ଼ିକର ଆଉ ଆବଶ୍ୟକତା ନାହିଁ କିମ୍ବା ସମାନ ଧରଣର ଏକାଧିକ ଯୋଜନା ଚାଲୁଛି, ସେଗୁଡ଼ିକୁ ମିଶ୍ରଣ କରି ବିଭାଗୀୟ ଯୋଜନା ସଂଖ୍ୟାକୁ ଯୁକ୍ତିଯୁକ୍ତ କରିବା ପାଇଁ ସମସ୍ତ ବିଭାଗକୁ କୁହାଯାଇଛି । କେନ୍ଦ୍ରୀୟ ସହାୟତାରେ ଚାଲୁଥିବା ପ୍ରକଳ୍ପଗୁଡ଼ିକର ଅର୍ଥ ଉପଯୋଗ ଉପରେ ସ୍ୱତନ୍ତ୍ର ସମୀକ୍ଷା କରିବାକୁ ଓ କେନ୍ଦ୍ରୀୟ ଅନୁଦାନ ରିଲିଜ୍ ପାଇଁ ସଂପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହ ଯୋଗାଯୋଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସଚିବମାନଙ୍କୁ ନୂତନ ପ୍ରସ୍ତାବ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରଶାସନିକ କାର୍ୟ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମୋଦନଓ ଅର୍ଥ ବିଭାଗର ସମ୍ମତି ବିନା କୌଣସି ନୂଆ ଯୋଜନା, ନୂତନ ନୀତି କିମ୍ବା ଆର୍ଥିକ ପ୍ରୋତ୍ସାହନ ଘୋଷଣା କରାଯାଇପାରିବ ନାହିଁ ବୋଲି ସଚିବମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ପ୍ରତିମାସର ୧ ଓ ୧୫ ତାରିଖ ପୂର୍ବାହ୍ନ ୧୧ଟାରେ ସଚିବସ୍ତରୀୟ ବୈଠକ ନିୟମିତ ଭାବେ ଅନୁଷ୍ଠିତ ହେବ । ଯଦି ଏହି ଦିନଗୁଡ଼ିକ ଛୁଟି ଦିନ ପଡ଼େ, ତେବେ ପରବର୍ତ୍ତୀ କାର୍ୟ୍ୟ ଦିବସରେ ବୈଠକ ବସିବ । ଏଥିରେ ରାଜ୍ୟର ରାଜସ୍ୱ ଆଦାୟ ଓ ଖର୍ଚ୍ଚ ସ୍ଥିତିର ନିୟମିତ ସମୀକ୍ଷା କରାଯିବ । ପ୍ରତି ସଚିବସ୍ତରୀୟ ବୈଠକରେ ଗୋଟିଏ କିମ୍ବା ଦୁଇଟି ବିଭାଗକୁ ସେମାନଙ୍କର କାର୍ୟ୍ୟକଳାପ ଉପରେ ଉପସ୍ଥାପନା କରିବା ପାଇଁ ମନୋନୀତ କରାଯିବ ।
ଏହାସହ ପ୍ରତି ମାସର ତୃତୀୟ ଶନିବାର ରାଜ୍ୟର ପ୍ରାୟ ୧୦ରୁ ୧୧ଟି ବଡ଼ ଭିତ୍ତିିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ସ୍ୱତନ୍ତ୍ର ସମୀକ୍ଷା କରାଯିବ । ଉଦ୍ୟୋଗଗୁଡ଼ିକ ପାଇଁ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଓ ଏମଓୟୁ ସ୍ୱାକ୍ଷରିତ ପ୍ରକଳ୍ପର ସମୀକ୍ଷା ପ୍ରତି ମାସର ତୃତୀୟ ମଙ୍ଗଳବାର ଦିନ କରାଯିବ ।
ଏହାସହିତ ସୋମବାର ଦିନ କୌଣସି ସରକାରୀ ବୈଠକ ନ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ଲକରୁ ରାଜ୍ୟସ୍ତରର ଅଫିସଗୁଡ଼ିକରେ ଅଭିଯୋଗ ଶୁଣାଣି ପାଇଁ ସୋମବାର ଦିନ ଉଦ୍ଦିଷ୍ଟ ଥିବାରୁ ପୂର୍ବ ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।
Powered by Froala Editor