ଶିଳ୍ପାଙ୍କ ଅଡ଼ୁଆ ବଢ଼ିଲା, ଜେରା କଲା କ୍ରାଇମ୍ବ୍ରାଞ୍ଚ
ମୁମ୍ବାଇ: ଯାହା ଆଶା କରାଯାଉଥିଲା ସେୟା ହେଲା । ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ପତ୍ନୀ ଶିଳ୍ପା ସେଟ୍ଟୀ । ଆଜି ମୁମ୍ବାଇ ପୁଲିସ୍ର କ୍ରାଇମ୍ବ୍ରାଞ୍ଚ ଟିମ୍ ରାଜଙ୍କୁ ଧରି ଜୁହୁରେ ଥିବା ଶିଳ୍ପାଙ୍କ ଘରେ ପହଞ୍ଚି ଜେରା କରିଛି । ଦୀର୍ଘ ସମୟ ଧରି କ୍ରାଇମ୍ବ୍ରାଞ୍ଚ ଟିମ୍ ଛାନଭିନ୍ କରିବା ସହିତ ତଲାସୀ କରିଥିବା ଜଣାପଡ଼ିଛି । ପର୍ଣ୍ଣ ଫିଲ୍ମ ସହ ଜଡ଼ିତ ସାମଗ୍ରୀ ଘରେ ରହିଛି କି ନାହିଁ ତାହାର ଯାଞ୍ଚ କରାଯାଇଛି ।
କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଶିଳ୍ପା ସେଟ୍ଟୀଙ୍କୁ ରାଜ ତିଆରି କରିଥିବା ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟ ସମ୍ପର୍କରେ ପଚାରାଉଚରା କରିଥିଲେ । ରାଜଙ୍କ ଭିଆନ୍ କମ୍ପାନିର ଅନ୍ୟତମ ନିର୍ଦ୍ଦେଶକ ଅଛନ୍ତି ଶିଳ୍ପା । କମ୍ପାନିର ଅଧିକାଂଶ ଅଂଶୀଦାର ସେ ରହିଛନ୍ତି । ତେଣୁ ପର୍ଣ୍ଣ ମାମଲାରେ ଶିଳ୍ପାଙ୍କୁ ପଚରାଉଚରା କରାଯାଇଛି ବୋଲି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପୁଲିସ୍ ଗଣମାଧ୍ୟମକୁ ସୂଚନା ଦେଇଛି ।
ରାଜ ଗିରଫ ହେବା ପରେ ପୁଲିସ୍ ଭିଆନ କମ୍ପାନିରେ ରେଡ୍ କରିଥିଲା । ଏହି ସମୟରେ ସେଠାରୁ ପର୍ଣ୍ଣ ଫିଲ୍ମ ସହ ଜଡ଼଼ିତ ବିପୁଳ ସାମଗ୍ରୀ ମିଳିଥିଲା । ତେଣୁ ଭିଆନ କମ୍ପାନିର ନିର୍ଦ୍ଦେଶକ ହିସାବରେ ଶିଳ୍ପା ମଧ୍ୟ ତଦନ୍ତ ପରିସର ଭୁକ୍ତ ହୋଇଛନ୍ତି । ଭିଆନ କମ୍ପାନି ଅନ୍ଧେରୀରେ ରହିଛି ।
ପୁଲିସ୍ କହିବା ଅନୁଯାୟୀ, ରାଜଙ୍କ ଅନ୍ଧେରୀ ଅଫିସରୁ ମିଳିଥିବା ପର୍ଣ୍ଣ ଫିଲ୍ମ ସମ୍ପର୍କିତ ତଥ୍ୟର ଫରେନ୍ସିକ ଯାଞ୍ଚ କରାଯିବ । ସେହିପରି ସର୍ଭରରୁ ଡିଲିଟ ହୋଇଥିବା ତଥ୍ୟକୁ ମଧ୍ୟ ରିକଭର କରାଯିବ । କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଅନେକ ତଥ୍ୟକୁ ଡିଲିଟ କରାଯାଇଛି । ତେଣୁ ଏଗୁଡ଼଼ିକୁ ପୁଣି ଆଣିବା ପାଇଁ କିଛି ସମୟ ଲାଗିବ । ୨୦୧୯ରୁ ରାଜ ପର୍ଣ୍ଣ ଫିଲ୍ମ ତିଆରି କରିବା ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ପ୍ରାୟ ୧୦୦ରୁ ଅଧିକ ପର୍ଣ୍ଣ ଫିଲ୍ମ କରି ସାରିଛନ୍ତି ।
ରାଜ ତାଙ୍କ ସୋସିଆଲ ଆପ୍ ହଟ୍ସଟ୍ସରେ ଅଶ୍ଳୀଳ ଭିଡିଓ ଗୁଡିକୁ ଅପଲୋଡ କରିଥିଲେ । ମାମଲା ରୁଜୁ ହେବା ପରେ ରାଜ ଗୁଗଲ ଓ ଆପଲ୍ ପ୍ଲେ ଷ୍ଟୋରରୁ ଗୋଟିଏ ଅଶ୍ଳୀଳ ଆପକୁ ଡିଲିଟ କରି ଦିଆଯାଇଥିଲା । ଏହାପରେ ସେ ପୋଲିଫ୍ଲିକ୍ସ ନାମକ ଆପ୍ ଆରମ୍ଭ କରିଥିଲେ । କୁନ୍ଦ୍ରା ଏହି କମ୍ପାନିକୁ ବିକ୍ରି କରି ଦେଇଥିବା କହିଛନ୍ତି । ହେଲେ ଏହାର ଟ୍ରାନଜାକସନ୍ ସମ୍ପର୍କିତ ଟିକନିଖି ଖବର କୁନ୍ଦ୍ରାଙ୍କ ପାଖରେ ପହଞ୍ଚୁଥିବା ତଦନ୍ତ ସମୟରେ ଜଣାପଡ଼ିଛି ।
ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ଫେବୃଆରୀରେ ରାଜଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହାପରେ ୧୯ ଜୁଲାଇରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଗିରଫ କରିବା ପରେ ଜୁଲାଇ ୨୩ ତାରିଖ ଯାଏଁ ନ୍ୟାୟିକ ହେପାଜତକୁ ପଠାଇଥିଲା ମୁମ୍ବାଇ ପୁଲିସ୍ । ଶୁକ୍ରବାର ତାଙ୍କର ନ୍ୟାୟିକ ହେପାଜତ ଶେଷ ହୋଇଥିଲା । କିନ୍ତୁ ତଦନ୍ତ ପ୍ରକ୍ରିୟାକୁ ଜାରି ରଖିବା ପାଇଁ ପୁଲିସ୍ ତାଙ୍କ ହେପାଜତ ବଢାଇବାକୁ ଆବେଦନ କରିଥିଲା । କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୭ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ।
ସେପଟେ ଅଶ୍ଳୀଳ ଫିଲ୍ମ ତିଆରି କରିବା ମାମଲାରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ରାଜ କୁନ୍ଦ୍ରା । ରାଜଙ୍କ କହିବା କଥା ଯେ ତାଙ୍କର ଗିରଫଦାରୀ ଅବୈଧ । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ରୟାନ ଥୋପେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।
Powered by Froala Editor