ମନ୍ଦିରରେ ନମାଜ ପଢିଲେ ଯୁବକ, ଭାଇରାଲ ଭିଡିଓର ତଦନ୍ତ କରୁଛି ପୁଲିସ
ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ବଦ୍ରିନାଥ ମନ୍ଦିରରେ କିଛି ମୁସଲମାନ ଯୁବକ ନମାଜ ପଢୁଥିବା ଭିଡିଓ ଭାଇରାଲ ହୋଇଛି । କୁହାଯାଉଛି ଯେ, କିଛି ମୁସଲମାନ ଇଦ୍-ଉଲ୍-ଜୁହା ଅବସରରେ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର କମ୍ପ୍ଲେକ୍ସରେ ପ୍ରାର୍ଥନା କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ପରେ ସେଠାରେ ଉତ୍ତେଜନା ଦେଖାଦେଇଛି । ଭାଇରାଲ୍ ପୋଷ୍ଟ ଦେଖି ସ୍ଥାନୀୟ ପୋଲିସର ଏକ ଟିମ୍ ତୁରନ୍ତ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ କହିଛି ଯେ ଏଭଳି ଘଟଣା ଘଟିନାହିଁ । ସ୍ଥାନୀୟ ପୌରସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ଋଷି ପ୍ରକାଶ ସତୀଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଛି ।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ୧୫ ଜଣ ମୁସଲମାନ ଶ୍ରମିକ ହରିନ୍ଦର ସିଂ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ଅଧୀନରେ କାମ କରନ୍ତି । ଏହି ସମସ୍ତ ଶ୍ରମିକ ମନ୍ଦିରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଅବସ୍ଥିତ ଏକ ପାର୍କିଂ ସୁବିଧା ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ । ନିର୍ମାଣ କାର୍ଯ୍ୟରେ ବହୁ ସାମଗ୍ରୀ ଥିବାରୁ ସମସ୍ତ ଶ୍ରମିକ ପ୍ରକଳ୍ପ ସ୍ଥଳରେ ରହୁଥିଲେ । ଇଦ୍-ଉଲ୍-ଜୁଜା ଅବସରରେ ସେମାନେ ସକାଳ ୭ ଟାରେ ସେଠାରେ ନମାଜ ଅର୍ପଣ କରିଥିଲେ । ଭିଡ଼ ଜମାଇବା ଏବଂ ସାମାଜିକ ଦୂରତାକୁ ଉଲ୍ଲଂଘନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କଣ୍ଟ୍ରାକ୍ଟର ଏବଂ ଶ୍ରମିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ପୋଲିସ ସୂଚନା ଦେଇଛି ।
Powered by Froala Editor