ଜିନ୍ସ ପିନ୍ଧିବାରୁ ନାତୁଣୀକୁ ହତ୍ୟା

ଗାଁରେ ଜିନ୍ସ ପିନ୍ଧିବାରୁ ନିଜ ନାତୁଣୀକୁ ହତ୍ୟା କରିଛି ଅଜା । ଏଭଳି ଏକ କୁତ୍ସିତ ମାନସିକତାର କରାଳ ଚିତ୍ର ସାମ୍ନାକୁ ଆସିଛି । ବାରମ୍ବାର ବାରଣ ସତ୍ତ୍ୱେ ୧୭ ବର୍ଷୀୟ ନାତୁଣୀ ବେଖାତିର କରିବାରୁ ରାଗିଯାଇ ଅଜା ଏବଂ ମାମୁ ହତ୍ୟା କରିଛନ୍ତି । ନାତୁଣୀଙ୍କୁ ମାରିବା ପରେ ଅଜା ଓ ଜଣେ ଅଟୋ ଡ୍ରାଇଭର ଶବକୁ ଫିଙ୍ଗିବାକୁ ବ୍ରିଜରେ ଚେଷ୍ଟା କରୁଥିବା ବେଳେ ପୁଲିସ୍ ହାତରେ ଧରାପଡ଼ିଛନ୍ତି। ଉତ୍ତର ପ୍ରଦେଶର ଦେବାରିୟା ଜିଲ୍ଲାର ଗୋଟିଏ ଗାଁରେ ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ସୂଚନା ଅନୁସାରେ, ୧୭ ବର୍ଷୀୟ ଝିଅ ଜଣଙ୍କ ଲୁଧିଆନାରେ ତାଙ୍କ ବାପାଙ୍କ ପାଖରେ ରହୁଥିଲେ। କିଛି ଦିନ ତଳେ ସେ ଉତ୍ତର ପ୍ରଦେଶରେ ଥିବା ନିଜ ଗାଁକୁ ଆସିଥିଲେ। ଲୁଧିଆନା ଭଳି ସେ ଗାଁକୁ ଆସିବା ପରେ ମଧ୍ୟ ପୂର୍ବଭଳି ଜିନ୍ସ, ଟପ୍ ଓ ଟ୍ରାଉଜର ପିନ୍ଧୁଥିଲେ।ଗାଁରେ ରହୁଥିବା ସମ୍ପର୍କୀୟମାନେ ଝିଅକୁ ଏପରି ପୋଷାକ ବଦଳରେ ପାରମ୍ପରିକ ଡ୍ରେସ ପିନ୍ଧିବାକୁ ବାରମ୍ବାର ପରାମର୍ଶ ଦେଉଥିଲେ।ହେଲେ ଗୁରୁବାର ଝିଅ ଜଣଙ୍କ ଜିନ୍ସ ପିନ୍ଧି ବାହାରକୁ ବାହାରିବାରୁ ଅଜା ଓ ମାମୁ ଝିଅକୁ ପ୍ରବଳ ପିଟିଥିଲେ। ଏଥିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ହସ୍ପିଟାଲ ଯିବା ବାଟରେ ହିଁ ଝିଅଟିର ମୃତ୍ୟୁ ଘଟିଥିଲା। ଏଥିରେ ଭୟଭୀତ ହୋଇ ଅଜା ଓ ଜଣେ ଅଟୋ ଡ୍ରାଇଭର ବ୍ରିଜ୍ରୁ ତଳକୁ ଶବକୁ ଫୋପାଡ଼ିବାକୁ ଯୋଜନା କରିଥିଲେ।
ସେମାନେ ଏହାକୁ ଫୋପାଡ଼ି ଥିଲେ ହେଁ ଶବଟି ବ୍ରିଜ୍ରେ ଲାଖି ଯାଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବ୍ରିଜ୍ରେ ଲାଖି ଯାଇଥିବା ଶବକୁ ଜବତ କରିବା ସହ ଅଜା ଓ ଅଟୋ ଡ୍ରାଇଭରଙ୍କୁ ଗିରଫ କରିଥିଲା। ଝିଅଟିର ଆଉ ଜଣେ ସମ୍ପର୍କୀୟ ମାମୁ ପୂରା ଘଟଣାରେ ୪ ଜଣଙ୍କ ନାଁରେ ଏଫଆଇଆର ଦେଇଛନ୍ତି।
Powered by Froala Editor