ଚୀନ୍ରେ ଭୟଙ୍କର ବନ୍ୟା : ରାସ୍ତାରେ ଭାସିଲା କାର୍, ୩୩ ମୃତ

ଅଚାନକ ପ୍ରବଳ ବର୍ଷା ଯୋଗୁ ଚୀନ ହେନାନ୍ ପ୍ରଦେଶର ଜେଙ୍ଗଝାଉରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ଏହି ପ୍ରଦେଶରେ ଏତେ ବର୍ଷା ହୋଇଛି ଯେ ତାହାକୁ ଗତ ୧ ହଜାର ବର୍ଷରେ ସର୍ବାଧିକ ବର୍ଷା ବୋଲି କୁହାଯାଉଛି । ବନ୍ୟା ବିଭୀଷିକା ବେଳେ ସାମ୍ନାକୁ ଆସିଥିବା ଗୋଟିଏ ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି। ଜେଙ୍ଗଝାଉରେ ବନ୍ୟା ଯୋଗୁ ଶହଶହ କାର୍ ରାସ୍ତାରେ ଭାସୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ପ୍ରବଳ ବର୍ଷା ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ଅଧିକାଂଶ ମୃତ୍ୟୁ ହେନାନ ପ୍ରଦେଶରେ ହୋଇଛି । ହେନାନର ରାଜଧାନୀ ଜେଙ୍ଗଝାଉରେ ୨୪ ଘଣ୍ଟାରେ ରେକର୍ଡ ୪୫୭.୫ ମିଲିମିଟର ବର୍ଷା ହୋଇଛି । ବନ୍ୟା ଯୋଗୁଁ ସମଗ୍ର ମହାନଗରଟି ଜଳମଗ୍ନ ଦେଖାଯାଉଛି । ବିଭିନ୍ନ ସର୍ବସାଧରଣ ସ୍ଥାନ, ଟନେଲ, ମେଟ୍ରୋ ରେଳ ଷ୍ଟେସନ, ସବଓ୍ବେ ଆଦିରେ ପାଣି ପଶିଯାଇଛି ।
ବର୍ତ୍ତମାନ ସୁଦ୍ଧା ୨୦୦,୦୦୦ ଜଣ ଲୋକଙ୍କୁ ଜେଙ୍ଗଝାଉରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ବନ୍ୟା ସହ ଭୂସ୍ଖଳନ ହେବାରୁ ଲୋକଙ୍କ ଜୀବନ ଯାଇଛି।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ପୂରା ସହରରେ ୧୮ ଇଞ୍ଚର ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଚାଷଜମିଗୁଡ଼ିକ ଜଳମଗ୍ନ ହେବା ସହ ଫସଲ ନଷ୍ଟ ହୋଇଯାଇଛି । ଚୀନ ସରକାରଙ୍କ ଅଟକଳ ଅନୁସାରେ ପ୍ରାୟ ୨ ଲକ୍ଷ ୧୫ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧.୨୨ ବିଲିୟନ ୟୁଆନ ହେବ ।
Powered by Froala Editor