ତିରୁମାଲ୍ଲା ବାଲାଜୀ ମନ୍ଦିରକୁ ୧.୮ କୋଟିର ସୁନା ଖଣ୍ଡା ଦାନ

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲ୍ଲା ବାଲାଜୀ ମନ୍ଦିରକୁ ହାଇଦ୍ରାବାଦର ଶ୍ରୀନିବାସ ଦମ୍ପତି ୧.୮ କୋଟିର ସୁନା ଖଣ୍ଡା ଦାନ କରିଛନ୍ତି । ଏହି ଖଣ୍ଡାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା । ଖଣ୍ଡାର ନାଁ ‘ସୂର୍ଯ୍ୟ କଟାରୀ’ । ଶ୍ରୀନିବାସ ଦମ୍ପତି ଏହି ଖଣ୍ଡାକୁ କୋଇମ୍ବାଟୁରର ବିଶେଷଜ୍ଞ ବଣିଆଙ୍କ ଦ୍ୱାରା ନିର୍ମାଣ କରାଇଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ୬ ମାସ ସମୟ ଲାଗିଥିଲା ।
ଆନ୍ଧ୍ରପ୍ରଦେଶର ତିରୁମାଳା ତିରୁପତି ବାଲାଜୀ ମନ୍ଦିରର ଅଧିଶ୍ୱର ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଭକ୍ତମାନେ କୋଟି କୋଟି ଟଙ୍କା ଦାନ କରନ୍ତି । ଏହି କ୍ରମରେ ହାଇଦ୍ରାବାଦର ଶ୍ରୀନିବାସ ଦମ୍ପତି ୧.୮ କୋଟି ଟଙ୍କାର ଏକ ସୁନା ଖଣ୍ଡା ମନ୍ଦିରକୁ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି । ଦମ୍ପତି ଗତ ବର୍ଷ ମନ୍ଦିରକୁ ସୁନା ଖଣ୍ଡା ଦାନ କରିବାକୁ ଚାହୁଁଥିଲେ । କିନ୍ତୁ କରୋନା ମହାମାରୀ ଯୋଗୁ ତାହା ସମ୍ଭବ ହେଲା ନାହିଁ । ସୋମବାର ଦମ୍ପତି ମନ୍ଦିରରେ ପହଞ୍ଚି ମନ୍ଦିର ପ୍ରଶାସନକୁ ସୁନାର ଖଣ୍ଡା ଦାନ କରିଛନ୍ତି । ଗଣମାଧ୍ୟମ ସମ୍ମୁଖରେ ସେମାନେ ଖଣ୍ଡାକୁ ଓଜନ କରି ତାହା ୬.୫ କିଲୋର ବୋଲି ଜଣାଇଛନ୍ତି । ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀଙ୍କ ପାଦ ପାଖରେ ସେମାନେ ଖଣ୍ଡାଟିକୁ ରଖିଛନ୍ତି ।
Powered by Froala Editor