‘ଦମନ’ ରୋକିପାରୁନି ମ୍ୟାଲେରିଆ, ବଢ଼ୁଛନ୍ତି ଆକ୍ରାନ୍ତ
ଓଡ଼ିଶାରେ ଏବେ ପାଣିପାଗ ବଦଳିବା ସହିତ ମ୍ୟାଲେରିଆ ପୀଡିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚଳିତବର୍ଷ ଅଗଷ୍ଟ ମାସ ସୁଦ୍ଧା ଓଡ଼ିଶାର ସମସ୍ତ ଜିଲ୍ଲାରେ ରୋଗୀ ସଂଖ୍ୟା ୫୦ହଜାର ଟପିଯାଇଛି ବୋଲି ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍ଭିବିଡିସିପି) ପୋର୍ଟାଲରୁ ଜଣାପଡ଼ିଛି । ଚଳିତବର୍ଷ ଜାନୁଆରୀ ମାସରେ ୩୯୧୯, ଫେବ୍ରୁଆରୀରେ ୩୦୧୦, ମାର୍ଚ୍ଚରେ ୪୩୧୨, ଏପ୍ରିଲରେ ୫୦୪୨, ମେ’ରେ ୮୧୮୯, ଜୁନ୍ରେ ୧୧୯୧୬, ଜୁଲାଇରେ ୧୦୫୫୮ ଓ ଅଗଷ୍ଟରେ ୫୫୧୬ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୭୦ରୁ ୮୦ ପ୍ରତିଶତ ରୋଗୀ କେବଳ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ ଓ ମାଲକାନଗିରିରେ ଅଛନ୍ତି ।
ଅଧ୍ୟୟନରୁ ଜଣାପଡ଼ିଛି ଯେ ଗତ ଦୁଇବର୍ଷ ଅପେକ୍ଷା ଏବର୍ଷ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଏପର୍ଯ୍ୟନ୍ତ ୫୨, ୪୬୨ଜଣ ରୋଗୀଙ୍କୁ ଠାବ କରାଯାଇଛି । ଯେଉଁଠିକି ଗତବର୍ଷ ମାତ୍ର ୬୮ହଜାର ୬୯୩ଜଣ ଓ ୨୦୨୩ରେ ୪୧,୯୭୧ଜଣ ରୋଗୀ ଚିହ୍ନଟ ହୋଇଥିଲେ । ୨୦୨୩ରେ ରାଜ୍ୟରେ ମ୍ୟାଲେରିଆରେ ୪ ଓ ୨୦୨୪ରେ ୮ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତବର୍ଷ ମୃତକଙ୍କ ତଥ୍ୟ ଆସିନି । ଏବେବି ରାଜ୍ୟରେ ମ୍ୟାଲେରିଆ ସକ୍ରିୟ ରହିଥିବା ବେଳେ ବାତ୍ୟା ଯୋଗୁ ବର୍ଷା ହେବା ପରେ ମଶାଙ୍କ ବଂଶବୃଦ୍ଧି ହେବାର ସମ୍ଭାବନା ରହିଛି । ତେଣୁ ଏଭଳି ସମୟରେ ସଚେତନ ଓ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ବର୍ଷ ସରିବାକୁ ଆହୁରି ଦୁଇମାସ ଥିବା ବେଳେ ଏଥରକ ଅଧିକ ସଂଖ୍ୟକ ରୋଗୀ ବାହାରିବେ ବୋଲି ଆକଳନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନଭିବିଡିସିପି) ମ୍ୟାଲେରିଆ ଉପରେ କାମ କରିଆସୁଛି । ଗୋଟିଏ ପଟେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ(ଦମନ) ଯୋଜନା ଏହି ଅଞ୍ଚଳରେ ବ୍ୟାପକ କରାଯାଉଛି । ଘରେ ଘରେ ଔଷଧବୋଳା ମଶାରୀ ବଣ୍ଟନ ହେଉଛି । ତଥାପି ମ୍ୟାଲେରିଆ ନିରାକରଣ ନହେବା ଚିନ୍ତା ବଢ଼ାଇଛି ।
Powered by Froala Editor