ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା, ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ଗୁରୁତ୍ବାରୋପ
ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୁଧବାର ଲୋକସେବା ଭବନରେ ବସିଥିବା ଏହି ବୈଠକରେ ଦୁଇଟି ପର୍ଯ୍ୟାୟରେ ଜାରି ରହିଥିବା ଉନ୍ନୟନ ତଥା ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ଗୁରୁତ୍ବାରୋପ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଚତୁର୍ପାଶ୍ବର କରିଡର ନିର୍ମାଣ, ଗୋପାଳଜିଉ ମଠର ବିକାଶ, ଦୀପ ଘର, ପାର୍କିଂ ସୁବିଧା, ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ସହିତ ଅନ୍ୟାନ୍ୟ ଯାତ୍ରୀ ଓ ଦର୍ଶନାର୍ଥୀ ସୁବିଧା ଉପଲବ୍ଧ କରାଯାଇଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଭକ୍ତ ନିବାସ, ଲେକ୍ ଜୋନ୍, ଦୋକାନ ଗୃହ, ଫୁଡ ପାର୍କ, ପାର୍କିଂ ଏବଂ ପ୍ରବେଶ ପଥ ଆଦି ବିକଶିତ କରାଯିବାର ଯୋଜନା ରହିଛି ।
ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ସମଲେଶ୍ବରୀଙ୍କ ପୀଠରେ ବର୍ଷ ତମାମ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନଙ୍କ ଭିଡ ଲାଗିରହିଥାଏ । ଏଥିସହିତ ସମ୍ବଲପୁର ଜିଲ୍ଲାର ମଧ୍ୟ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ପ୍ରସିଦ୍ଧି ରହିଛି, ଯେଉଁଥି ପାଇଁ ଦେଶବିଦେଶରୁ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସିଥାନ୍ତି। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟକୁ ବିଶ୍ବସ୍ତରୀୟ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
Powered by Froala Editor