ଗଜପତି ଜିଲ୍ଲାର ୨ଟି ଜେଲରୁ ୯ ପଜିଟିଭ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ଗଜପତି ଜିଲ୍ଲାର ୨ଟି ଜେଲରୁ ୯ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପାରାଳାଖେମୁଣ୍ଡି ସବଜେଲର ୩ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆର.ଉଦୟଗିରି ସବଜେଲର ୬ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟ ଜେଲର ଆଇସୋଲେସନ ସେଲରେ ୯ ଜଣଙ୍କୁ ରଖାଯାଇଥିବା ଜଣାଯାଇଛି ।
ପ୍ରକାଶ ଯେ, ରାଜ୍ୟରେ ଆଉ ୧୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୯ ହଜାର ୫୬୧ରେ ପହଁଚିଛି । ଅପରପକ୍ଷରେ ୭୯୭୯ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨୭, ବାଲେଶ୍ୱରରେ ୩୩, ବରଗଡ଼ରେ ୬୮, ଭଦ୍ରକରେ ୩୬, ବଲାଙ୍ଗୀରରେ ୫୪, ବୌଦ୍ଧରେ ୧, କଟକରେ ୫୬, ଦେବଗଡ଼ରେ ୪, ଢେଙ୍କାନାଳରେ ୪, ଗଜପତିରେ ୩, ଗଞ୍ଜାମରେ ୩୧, ଜଗତସିଂହପୁରରେ ୬, ଯାଜପୁରରେ ୧୯, ଝାରସୁଗୁଡ଼ାରେ ୪୨, କଳାହାଣ୍ଡିରେ ୩୦, କନ୍ଧମାଳରେ ୧୦, କେନ୍ଦ୍ରାପଡ଼ାରେ ୬, କେନ୍ଦୁଝରରେ ୩୦, ଖୋର୍ଦ୍ଧାରେ ୧୫୮, କୋରାପୁଟରେ ୯, ମାଲକାନାଗିରିରେ ୪, ମୟୂରଭଞ୍ଜରେ ୪୯, ନବରଙ୍ଗପୁରରେ ୭୧, ନୟାଗଡ଼ରେ ୧୮, ନୂଆପଡ଼ାରେ ୯୦, ପୁରୀରେ ୪୩, ରାୟଗଡ଼ାରେ ୨୫, ସମ୍ବଲପୁରରେ ୮୬, ସୋନପୁରରେ ୧୪, ସୁନ୍ଦରଗଡ଼ରେ ୩୧୭ ଓ ରାଜ୍ୟ ପୁଲରେ ୩୫ ଜଣ ଚିହ୍ନଟ ହୋଇଛନ୍ତି ।