ଆଫଗାନିସ୍ତାନ ରାଷ୍ଟ୍ରଦୂତ ଝିଅଙ୍କୁ ଅପହରଣ ପରେ ନିର୍ଯାତନା
ପାକିସ୍ତାନରେ ଅବସ୍ଥାପିତ ଆଫଗାନିସ୍ତାନ ରାଷ୍ଟ୍ରଦୂତ ନଜିବୁଲ୍ଲା ଅଲୀଖିଲିଙ୍କ ଝିଅଙ୍କୁ ଇସଲମାବାଦରେ ଅପହରଣ କରାଯାଇଛି। ଏହାପରେ ତାଙ୍କୁ ଭୟଙ୍କର ନିର୍ଯାତନା ଦିଆଯାଇଛି। ନିର୍ଯାତନାର କିଛି ଘଣ୍ଟା ପରେ ତାଙ୍କୁ ମୁକ୍ତ କରାଯାଇଛି । ଏହି ଘଟଣା ଆନ୍ତର୍ଜାତିକ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିର୍ଯାତନା ଯୋଗୁ ତାଙ୍କ ଶରୀରରେ ଏକାଧିକ ଚିହ୍ନ ଠାବ ହୋଇଥିବା ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ୨୬ ବର୍ଷୀୟ ସିଲସିଲା ଅଲୀଖିଲି ଶୁକ୍ରବାର ଜିହ୍ନା ମାର୍କେଟରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଏହାପରେ ତାଙ୍କୁ ପ୍ରବଳ ନିର୍ଯାତନା ଦିଆଯାଇଥିଲା। ପଣବନ୍ଦୀରୁ ତାଙ୍କୁ ଉଦ୍ଧାର କରାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ରହିଛି। ଏହି ଘଟଣାକୁ ଆଫଗାନିସ୍ତାନ କଡ଼ା ଭାଷାରେ ନିନ୍ଦା କରିଛି। ପାକିସ୍ତାନ ସରକାର ତୁରନ୍ତ ଅପହରଣ ପଛରେ ଥିବା କାରଣ ଖୋଜିବା ସହ ଦୋଷୀଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହା ସହ ବିଭିନ୍ନ ଅଫିସର କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ଆଫଗାନିସ୍ତାନ ଦାବି କରିଛି । ସିଲସିଲାଙ୍କୁ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ହୋଇଛି ।
Powered by Froala Editor