ବାଦଲଫଟା ବର୍ଷାରେ ଫାଟି ଯାଇଛି କଳିଙ୍ଗା ଘାଟି, ସୃଷ୍ଟି ହେଲା ଝରଣା
ଫୁଲବାଣୀ: କନ୍ଧମାଳ ଜିଲାର ଜୀବନରେଖା କଳିଙ୍ଗା ଘାଟିରେ ସୃଷ୍ଟି ହୋଇଥିବା ପ୍ରକୃତିର ତାଣ୍ଡବ ଯୋଗୁଁ ଗାଡି ଚଳାଚଳ ହୋଇପାରିନି। ଭୂସ୍ଖଳନ ସ୍ଥାନରେ ସୃଷ୍ଟି ହୋଇଛି ଆଉ ଏକ ଝରଣା। ଯେଉଁ ରାସ୍ତାରେ ୨୪ ଘଣ୍ଟା ଧରି ଯାନବାହାନ ଚଳାଚଳ କରୁଥିଲା ଦୁଇଦିନ ହେଲା ଉକ୍ତ ରାସ୍ତା ଶୂନଶାନ। ମଙ୍ଗଳବାର ଅପରାହ୍ନରେ ହୋଇଥିବା ବାଦଲଫଟା ବର୍ଷାରେ ଫାଟି ଯାଇଛି କଳିଙ୍ଗା ଘାଟି।
ଘଟଣାର ପ୍ରାୟ ୨୦ ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜାତୀୟ ରାଜପଥର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିକ୍ରମଚନ୍ଦ୍ର ପଣ୍ଡା, ଅଧିକ୍ଷଣ ଯନ୍ତ୍ରୀ ଶାନ୍ତନୁ ସାହୁ, ଫୁଲବାଣୀ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିରେନ୍ଦ୍ର କୁମାର ଖୁରା ଏବଂ ଫୁଲବାଣୀ ଉପ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ। ଏହି ରାସ୍ତାରେ ଗୋଟିଏ ଯାନ ଚଳାଚଳ କରିବା ଭଳି ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଏଥିପାଇଁ ୭ଦିନ ସମୟ ଲାଗିବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ତୁରନ୍ତ ଏକ ବିଶେଷଜ୍ଞ ଦଳ ସ୍ଥିତି ଯାଞ୍ଚ କରିବା ପରେ ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ ବୋଲି ଜାତୀୟ ରାଜପଥ ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି।
Powered by Froala Editor