ଆଜିଠୁ ଆରମ୍ଭ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ୱର: ଆଜିଠାରୁ ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥର ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟଦିବସ ଥିବାରୁ ଶାନ୍ତିଶୃଙ୍ଖଳାର ସହ ଗୃହ କାର୍ଯ୍ୟ ପରିଚାଳନା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ଉଭୟ ଶାସକ ଓ ବିରୋଧୀଙ୍କୁ ନିବେଦନ କରିଥିଲେ। ତେବେ ସାର ଅଭାବ, ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ସଜବାଜ ହୋଇଛନ୍ତି। ସେହିପରି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ନୂଆପଡ଼ାର ଦିବଂଗତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ଅନ୍ୟ ୪ ଜଣ ପୂର୍ବତନ ବିଧାକୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିବେ। ବିଧାନସଭା ଅଧିବେଶନ ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଅନ୍ୟପକ୍ଷରେ ବିଧାନସଭାର ମୌସୁମୀ ଅଧିବେଶନକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ ମହାନିର୍ଦେଶକ (ଡିଜିପି) ୱାଇବି ଖୁରାନିଆ ବୁଧବାର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ୩ ଥାକିଆ ସୁରକ୍ଷା ବଳୟରେ ରହିବ ପୂରା ବିଧାନସଭା। ମୁତୟନ ହେବେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ। ଜଗି ରହିବେ ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍ ଓ ଅଗ୍ନିଶମ ବିଭାଗ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଲଗାଯାଇଛି। ସିସିଟିଭି ନଜରରେ ପୂରା ଗାନ୍ଧୀମାର୍ଗ ରହିଛି। ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ପରିଚାଳନା କରିବା ଲାଗି ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ (ନିୟନ୍ତ୍ରଣ କକ୍ଷ) ଖୋଲାଯାଇଛି। ସିସିଟିଭି ନଜରରେ ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡ଼ିକୁ ରଖାଯିବ। ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପାୟୁକ୍ତ ଜଗମୋହନ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିବ।
Powered by Froala Editor