କାନ୍ଦିକାନ୍ଦି ରାସ୍ତା ପାଇଁ ଗୁହାରି କଲେ ମହିଳା

ଭୁବନେଶ୍ବର: ସୋମବାର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ଚାଲିଥିଲା ଅଭିଯୋଗ ଶୁଣାଣି। ଅଭିଯୋଗ ଶୁଣାଣି ଶିବିରକୁ ଆସିଥିଲେ ପେଟଛେଲା ପଞ୍ଚାୟତ ଜଙ୍ଗଲଘେରି ଗ୍ରାମର ଦୁଃଖୀ ଭକ୍ତା। କୋହଭରା କଣ୍ଠରେ ଆଦିବାସୀ ମହିଳା ଜଣକ ମହାକାଳପଡ଼ା ବିଧାୟକଙ୍କୁ କାନ୍ଦିକାନ୍ଦି ରାସ୍ତାଟିଏ ପାଇଁ ଗୁହାରି କରିଥିଲେ। ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଏହି କେହି ପଦ କଥା ଶୁଣିବା ପରେ ତାଙ୍କ ଆଖି ଛଳ ଛଳ ହୋଇଯାଇଥିଲା। ମହିଳା ଜଣକ କହିଥିଲେ ଗତ ୮ ତାରିଖରେ ତାଙ୍କ ନାତି ଶିବୁ ଭକ୍ତା ନଦୀରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ି ଗୁରୁତର ହୋଇଥିଲା। ନାତିର ଚିକିତ୍ସା ପାଇଁ ସେ ଆମ୍ବୁଲାନ୍ସର ସହାୟତା ଲୋଡ଼ିଥିଲେ। ଗାଁକୁ ମାଟି ରାସ୍ତାଟିଏ ଅଛି। ବର୍ଷା ହେତୁ ତାହା କାଦୁଅ ପଙ୍କରେ ଭର୍ତ୍ତି। ଏଭଳି ସ୍ଥିତିରେ ଆମ୍ବୁଲାନ୍ସ ଗାଁକୁ ଯାଇପାରିଲା ନାହିଁ। ଦୋଳାରେ ନାତିକୁ ଡାକ୍ତରଖାନାକୁ ନେଲେ। ହେଲେ ପହଞ୍ଚିବା ବିଳମ୍ବ ହେବାରୁ ଡାକ୍ତର ନାତିକୁ ମୃତ ଘୋଷଣା କରିଥିଲେ। ଗାଁକୁ ରାସ୍ତା ଥିଲେ ଅନ୍ତତଃ ଆମ୍ବୁଲାନ୍ସ କି କୌଣସି ଗାଡ଼ିରେ ନାତିକୁ ଡାକ୍ତରଖାନା ନେଇ ପାରିଥାନ୍ତି। ନାତି ମୋର ବଞ୍ଚି ଯାଇଥାନ୍ତା। ଗାଁକୁ ରାସ୍ତା ନିର୍ମାଣ ପାଇଁ ମହିଳା ଜଣକ ଏହିପରି ଗୁହାରି କରିଥିଲେ। ମହିଳାଙ୍କ ଗୁହାରି ଶୁଣିବା ପରେ ବିଧାୟକ, ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ଖୁବ୍ଶୀଘ୍ର ସେହି ଗାଁରେ ରାସ୍ତା ନିର୍ମାଣ ହେବ।
Powered by Froala Editor