ଶୋଇଥିବା ବେଳେ ଛାତ୍ରଙ୍କ ଆଖିରେ ଲଗାଇଦେଲେ ଫେଭି କୁଇକ
ଭୁବନେଶ୍ବର: କିଛି ସହପାଠୀଙ୍କ ଦୁଷ୍ଟାମିର ଶିକାର ହୋଇଛନ୍ତି ୮ ଛାତ୍ର। ଶୋଇଥିବା ବେଳେ ୪ର୍ଥ ଓ ୫ମ ଶ୍ରେଣୀର ୮ଜଣ ଛାତ୍ରଙ୍କ ଆଖିରେ ଆଉ କିଛି ସହପାଠୀ ଫେଭି କୁଇକ ଅଠା ଲଗାଇ ଦେଇଥିଲେ। ଫଳରେ ସେମାନଙ୍କ ଆଖିପତା ଆଉ ଖୋଲି ନଥିଲା। ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ସଲାଗୁଡା ଆଶ୍ରମ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ରାତିରେ ଛାତ୍ରମାନେ ଖାଇସାରି ଶୋଇ ପଡ଼ିଥିଲେ। ବିଳମ୍ବିତ ରାତିରେ କିଛି ସହପାଠୀ ଥଟ୍ଟାମଜା କରିବା ପାଇଁ ଶୟନରତ ଅନ୍ୟ ୮ ଛାତ୍ରଙ୍କ ଆଖିରେ ଫେଭି କୁଇକ ଲଗାଇ ଦେଇଥିଲେ। ଫଳରେ କାହାର ହେଲେ ଆଖି ଖୋଲି ନଥିଲା। ଆଜି କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ ପିଲାମାନଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ଚିକିତ୍ସା ପାଇଁ ଗୋଛାପଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଯାଇଥିବା ବେଳେ ୭ ଜଣ ଗୁରୁତରଙ୍କୁ ସଲାଗୁଡ଼ା ସରପଞ୍ଚ ରୋହିତ କହଁର ନିଜ ବୋଲେରୋ ଗାଡ଼ିରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିଲେ। କିଛି ଶିକ୍ଷୟିତ୍ରୀ ମଧ୍ୟ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି।
ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ ରହୁନାହାନ୍ତି। ଶିକ୍ଷକମାନେ ପାଳି କରି ଆସୁଛନ୍ତି। ଜିଲାପାଳଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି। ଯେଉଁଥି ପାଇଁ ଆଜି ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି। ଛାତ୍ରାବାସ ଭିତରେ ଛାତ୍ରମାନେ ଫେଭି କୁଇକ ଅଠା ପାଇଲେ କିପରି ତାହାକୁ ନେଇ ପ୍ରଶ୍ନ ଉଠିଛି।
ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ଜିଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଏବଂ ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି।
Powered by Froala Editor