ଏହି ୮ ପଞ୍ଚାୟତ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି
ଭୁବନେଶ୍ବର: କୋରାପୁଟ ଜିଲା ପଟାଙ୍ଗି ବ୍ଳକ୍ର ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ପରେ ଏବେ ଏହି ବ୍ଲକର ଆଉ ୮ ପଞ୍ଚାୟତ ଉପରେ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇଛି। ଏହିସବୁ ଗ୍ରାମର ଲୋକଙ୍କୁ ନିଜ ସପକ୍ଷରେ ନେବାକୁ ଆନ୍ଧ୍ର ସରକାର ବିଭିନ୍ନ ଉପାୟ ଅବଲମ୍ବନ କରିବାରେ ଲାଗିଛି। ଯଦ୍ବାରା ଏହି ୮ ପଞ୍ଚାୟତର ଜନସାଧାରଣ ଓଡ଼ିଶା ସହ ଆନ୍ଧ୍ରର ବିଭିନ୍ନ ଉନ୍ନୟନ କାମରେ ନିଜକୁ ଯୋଡି ହେବାକୁ ସେହି ରାଜ୍ୟର ଭୋଟର ଓ ଆଧାର କାର୍ଡ କରିଛନ୍ତି।
କୋରାପୁଟ ଜିଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ ୧୪ ପଞ୍ଚାୟତ ମଧ୍ୟରୁ ୮ ପଞ୍ଚାୟତର ବହୁ ଗ୍ରାମପୁଞ୍ଜ ସିଧାସଳଖ ଆନ୍ଧ୍ରକୁ ସ୍ପର୍ଶ କରୁଛି। ବିବାଦୀୟ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗ୍ରାମପୁଞ୍ଜ ସହ ନୂଆଗାଁ, ରାଲେଗଡ଼ା, ପେଟ୍ରୁ, ସୁଙ୍କି, ଅମ୍ପାଭାଲି, ତଳଗଲୁରୁ, ସମ୍ବାଇ ପଞ୍ଚାୟତର ଗ୍ରାମପୁଞ୍ଜ ଆନ୍ଧ୍ର ସୀମାନ୍ତକୁ ଛୁଇଁଛି। ସୀମାନ୍ତରେ ଆନ୍ଧ୍ର ସରକାରଙ୍କ ପେନସନ, ରାସନ୍, ଶିକ୍ଷାବୃତ୍ତି ସର୍ବୋପରି ସରକାରୀ ପ୍ରୋତ୍ସାହନ ଓଡ଼ିଶା ତୁଳନାରେ ଅଧିକ ରହିଛି। ଆନ୍ଧ୍ରର ଏହିସବୁ ସୁବିଧା ହାତେଇବାକୁ ସୀମାନ୍ତବାସିନ୍ଦା ସେହି ରାଜ୍ୟ ସରକାରଙ୍କ ଭୋଟର ଓ ଆଧାର କାର୍ଡ କରି ନେଇଛନ୍ତି। ସୀମାନ୍ତ ଗ୍ରାମବାସୀଙ୍କ ଏଭଳି ଦୁର୍ବଳତାର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ ଓଡ଼ିଶା ଗ୍ରାମର ବାସିନ୍ଦାଙ୍କୁ ପ୍ରଲୋଭନ ଦେଖାଇ ନିଜ ରାଜ୍ୟରେ ସାମିଲ କରିବାକୁ ପ୍ରୟାସ ଚଳାଇଛି। କୋଟିଆ ପଞ୍ଚାୟତ ସମ୍ପୂର୍ଣ୍ଣ ଓଡ଼ିଶାର ବୋଲି ଦାବି କରି ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ସ୍ବତନ୍ତ୍ର ପ୍ୟାକେଜ ମାଧ୍ୟମରେ ବିକାଶକୁ ତ୍ବରାନିତ କରୁଛନ୍ତି। ରାଜ୍ୟ ସରକାର କେବଳ କୋଟିଆ ପଞ୍ଚାୟତର ବିବାଦୀୟ ଗ୍ରାମ ପୁଞ୍ଜକୁ ନଜରରେ ରଖିଥିବା ବେଳେ ସୀମାନ୍ତର ବହୁ ନିର୍ବିବାଦୀୟ ଗ୍ରାମପୁଞ୍ଜକୁ ଆନ୍ଧ୍ର ନିଜ ଅକ୍ତିଆରକୁ ନେଇ ନିଜ ରାଜ୍ୟରେ ମିଶାଇବାକୁ ଅହରହ ପ୍ରୟାସ ଚଳାଇଛି।
ଉଦାହରଣ ସ୍ୱରୂପ, ପଟାଙ୍ଗି ବ୍ଲକର ନୂଆଗାଁ ପଞ୍ଚାୟତ ସୀମା ବିବାଦରେ ନାହିଁ। ଏହି ପଞ୍ଚାୟତର କୁମ୍ଭିଗୁଡା, ଦିଗୁଗାବାଡର, ଏଟିଗାବାଡର ଗ୍ରାମବାସୀ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ ମାନ୍ୟମ୍ ଜିଲା ପ୍ରଶାସନର ସୁବିଧା ସୁଯୋଗ ହାତେଇଛନ୍ତି । ସେହିପରି ସମ୍ବାଇ ପଞ୍ଚାୟତର ସୁନାବେଡ଼ା, ଜାମ୍ବଗୁଡା, ସୁଙ୍କି ପଞ୍ଚାୟତର ନିମାଲପାଡୁ, ଅଣ୍ଡାଙ୍ଗି, ଗିନାଗେଲିପାଡୁ, ପାନସାଲପାଡୁ, ପେଟ୍ରୁ ପଞ୍ଚାୟତର ମାଟାମ, ପାନସାଲପାଡୁ, ବୁରୁଗୁଲପାଡୁ, ଅମ୍ପାଭାଲି ପଞ୍ଚାୟତର ସାପ୍ରାଇଗୁଡା,
ସିଡିମେଟୁ, ରାଲେଗଡ଼ା ପଞ୍ଚାୟତର ଗାଡିବାଲସା, ବିଟ୍ରା, ପିଲକାବିଟ୍ରା , ମେଟାପାଡୁ, ତଳଗଲୁରୁ ପଞ୍ଚାୟତର ବଣକିମେଟା, ପଟୁଗୁଡା, ବାଙ୍ଗାରଗୁଡି, ପେଦାଗୁଡି, ଓଲାପାରୁ, ସାପ୍ରାଇଗୁଡା, ଡୁମୁରିଗୁଡା, ଜାମଗୁଡା, ମୁଲାପାଡୁ, ବଟକିମେଡା, ଦାରମପାଡୁ, ସାରମପାଡୁ ଆଦି ଗ୍ରାମ ବାସିନ୍ଦା ଉଭୟ ରାଜ୍ୟ ସରକାରଙ୍କ ସୁବିଧା ହାତେଇଛନ୍ତି।
ଏହିସବୁ ଗ୍ରାମବାସୀ ଉଭୟ ରାଜ୍ୟରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ସୀମାନ୍ତରେ ଥିବା ଓଡ଼ିଶା ଗ୍ରାମର ବାସିନ୍ଦାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଅକ୍ତିଆରକୁ ନେବାକୁ ଆନ୍ଧ୍ର ଷଡ଼ଯନ୍ତ୍ର ଚଳାଇଛି ବୋଲି ତଳଗଲୁରୁ ପଞ୍ଚାୟତର ପୂର୍ବତନ ସରପଞ୍ଚ ବଳଦା ବୋଇପତି ପ୍ରକାଶ କରିଛନ୍ତି।
Powered by Froala Editor