ଗିରଫ ହେଲେ ନିଲମ୍ବିତ ପୁଲିସ ଏସଆଇ
ଜଗତସିଂହପୁର : ଜଗତସିଂହପୁର ଥାନା ଅଧୀନ ଖଇରଙ୍ଗ ଅଞ୍ଚଳର ଜଣେ ନାବାଳିକାକୁ ଫେସବୁକରୁ ପ୍ରେମ, ପରେ ବିବାହ ଓ ଶେଷରେ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇ ଆଳିପିଙ୍ଗଳ ଜେଲ ଯାଇଛନ୍ତି ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢ଼ୀ। ମାମଲା ରୁଜୁ ପରେ ସେ ୪ମାସ ହେଲା ପୁଲିସକୁ ଚକମା ଦେଖାଇ ଖସି ଯାଉଥିଲେ। ଜଗତସିଂହପୁର ପୁଲିସ ମଙ୍ଗଳବାର ବିଶାଖାପାଟଣାରୁ ଅମିତଙ୍କୁ ଗିରଫ କରିଥିଲା।
ଖଇରଙ୍ଗ ଅଞ୍ଚଳର ଜଣେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକା ଫେସ୍ବୁକରେ ବାଲିଆପାଳ ଥାନା ରତେଇ ଗ୍ରାମର ଅମିତଙ୍କ ସହ ପରିଚୟ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ପ୍ରଥମେ ସେମାନେ ମନ୍ଦିରରେ ବିବାହ କରିଥିଲେ। ପରେ ପରିବାର ଲୋକଙ୍କ ସହମତିରେ ଏକ ହୋଟେଲରେ ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ବିବାହ ପରେ ନାବାଳିକାକୁ ଶାଶୂଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ବାପଘରେ ଆଣି ଛାଡ଼ି ଦେଇଥିଲେ। ଗତ ଅପ୍ରେଲ ୨୩ ତାରିଖରେ ନାବାଳିକାର ମା’ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଅମିତ ପୁରୀରେ କାର୍ଯ୍ୟରତ ଥିବା ଯୋଗୁଁ ଜଗତସିଂହପୁର ପୁଲିସ ପୁରୀ ଯାଇ ତଦନ୍ତ କରିଥିଲା। ଜଗତସିଂହପୁର ପୁଲିସ ଠାରୁ ସୂଚନା ପାଇ ପୁରୀ ଆରକ୍ଷୀ ଅଧୀକ୍ଷକ ଅଭିଯୁକ୍ତ ଏସଆଇ ଅମିତଙ୍କୁ ଗତ ମେ ମାସରେ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।
Powered by Froala Editor