ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଂଘନ: ୧୦ ଜଣଙ୍କ ନାଁରେ ମାମଲା

ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ । ତଦନ୍ତ କରାଯାଇ ମୋଟ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ରଥ ଯାତ୍ରା ବେଳେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରୋଟୋକଲକୁ ଅମାନ୍ୟ କରି ରଥ କର୍ଡନ ମଧ୍ୟକୁ ପ୍ରବେଶ କରିଥିବାରୁ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ପୁରୀ ଏସ୍ପି ସୂଚନା ଦେଇଛନ୍ତି ।
୧୦ ଜଣ ହେଲେ ହରିୟାଣାର ଗୋବିନ୍ଦ କୃଷ୍ଣ ଦାସ , ଅତୁଲ କ୍ରିସ୍ନା , ପୁରୀର ସୋମନାଥ ସାହୁ , ରଂଜନ କୁମାର ପାତ୍ର , ସୁବ୍ରତ ପଣ୍ଡା , ଭବାନୀ ଜେନା , ମନୋରଞ୍ଜନ ମିଶ୍ର , ରାଜ ଦୀପ ହରିଚନ୍ଦନ , ରଘୁନାଥ ସରାଫ ଓ ବିଶ୍ୱନାଥ ସାହୁ । କର୍ଫ୍ୟୁ ଉଲଘଂନ ନେଇ ପ୍ରମାଣ ମିଳିଥିବାରୁ ଏମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ବଡ଼ଦାଣ୍ଡରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ଅଫିସକୁ ଜିଲ୍ଲା ପ୍ରଶାସନ ସିଲ କରିଥିବା ବେଳେ ବୁଧବାର ମଧ୍ୟ ଗଙ୍ଗା ଲଜିଂକୁ ସିଲ କରିଥିଲା ପ୍ରଶାସନ। ଇସ୍କନ ଭକ୍ତ ଛାତରେ ରହି ରଥ ଦେଖିବା ଅଭିଯୋଗରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ସିଲ୍ ହୋଇଛି।
ସୂଚନାଯୋଗ୍ୟ, ରଥ ଯାତ୍ରାକୁ ସୁରକ୍ଷିତ ଏବଂ ସଂକ୍ରମଣ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ଏ ନେଇ କଠୋର ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନହୁଏ ସେଥିପାଇଁ ଛାତ ଉପରେ ଛିଡା ହୋଇ ଦର୍ଶନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । ଏପରିକି ବଡ଼ଦାଣ୍ଡରେ ଥିବା ହୋଟେଲ ଓ ଲଜ୍ ଗୁଡ଼ିକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରିବା ପାଇଁ କୁହାଯାଇଥିଲା। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ୍ ଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ କେହି ବାହାରକୁ ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ରଥ ଯାତ୍ରା ସମୟରେ କିଛି ଲଜ୍ ଏବଂ ଘର ବାଲକୋନୀରେ ଠିଆ ହୋଇ ଦର୍ଶନ କରୁଥିବା ଫଟୋ ଏବଂ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇଛି ପ୍ରଶାସନ । ରଥ କର୍ଡନ ମଧ୍ୟରୁ ବେଫିକର ହୋଇ ପ୍ରବେଶ କରିଥିବା ଏବଂ ବେଶ ବଦଳାଇ ପ୍ରବେଶ କରିଥିବା ଅଭିଯୋରେ ୧୦ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି । ସେହିପରି ଏହି ଵ୍ୟକ୍ତିଙ୍କୁ କେଉଁ ମାନେ ସହଯୋଗ କରିଥିଲେ ଓ କିଭଳି ପାସ ପାଇଲେ ସେ ତଦନ୍ତ ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି
Powered by Froala Editor