୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ
ନୂଆଦିଲ୍ଲୀ: ମୌସୁମୀ ବର୍ଷା ଯୋଗୁଁ ଉତ୍ତରପ୍ରଦେଶ-ବିହାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରର ମୁଙ୍ଗେର ବକ୍ସର, ପୂର୍ଣ୍ଣିୟା, ଭୋଜପୁର, ପାଟନା ସମେତ ଅନେକ ଜିଲାରେ ଶହଶହ ଗାଁ ବନ୍ୟା ପାଣିରେ ବୁଡି ଯାଇଛି । ବିହାରର ପୂର୍ଣ୍ଣିୟାରେ ୩୮ବର୍ଷ ପରେ ରେକର୍ଡ ଭାଙ୍ଗିଛି ବର୍ଷା । ରବିବାରଠାରୁ ସୋମବାର ପର୍ଯ୍ୟନ୍ତ ଏଠାରେ ୨୭୦.୬ମିମି ବର୍ଷା ହୋଇଥିଲା । ପୂର୍ବରୁ ୧୯୮୭ମସିହାରେ ୨୯୪.୯ମିମି ବର୍ଷା ରେକର୍ଡ କରାଯାଇଥିଲା ।
ସେହିପରି ଉତ୍ତରପ୍ରଦେଶର ପ୍ରୟାଗରାଜ, ବାରାଣସୀ ସମେତ ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା ହୋଇଥିବାରୁ ୪୦୨ଟି ଗାଁ ବନ୍ୟା କବଳରେ ରହିଛି । ଏଠାରେ ଏପର୍ଯ୍ୟନ୍ତ ବର୍ଷା ଯୋଗୁଁ ୩୪୩ଟି ଘର ଭାଙ୍ଗି ଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ବନ୍ୟା-ବର୍ଷା ଯୋଗୁଁ ୧୬ଜଣଙ୍କ ମୃତ୍ୟୁ ହୋଇଛି । ଅଗଷ୍ଟ ୫ ପର୍ଯ୍ୟନ୍ତ ଜୌନପୁର, ସୁଲତାନପୁର, କାନପୁର, ପିଲିଭିତ ଏବଂ ସୋନଭଦ୍ରାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବାରାଣସୀ, ହମିରପୁର ଏବଂ ଲଖିମପୁରରେ ଅଗଷ୍ଟ ୬ତାରିଖ ପର୍ଯ୍ୟନ୍ତ, ପ୍ରୟାଗରାଜ ଏବଂ ମିର୍ଜାପୁରରେ ୭ତାରିଖ ପର୍ଯ୍ୟନ୍ତ ଛୁଟି ରହିବ ସ୍କୁଲ ।
Powered by Froala Editor