ଆଲୋଚନା ଚାହୁଁନାହାନ୍ତି ଅନୁଭବ

କଟକ: କଟକ ପରିବାର ଅଦାଲତଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ବୁଧବାର ପୁଣିଥରେ ହାଜର ହୋଇଛନ୍ତି ଅଭିନେତା ତଥା କେନ୍ଦ୍ରାପଡ଼ା ଏମପି ଅନୁଭବ ମହାନ୍ତି ଓ ସ୍ତ୍ରୀ ବର୍ଷା ପି୍ରୟଦର୍ଶିନୀ । ସେଠାରେ ଉଭୟଙ୍କୁ କନସିଲିଏଟର ପାରିବାରିକ ବିବାଦର ଅନ୍ତ ଘଟାଇବା ପାଇଁ ପ୍ରାୟ ୨ ଘଣ୍ଟା ଧରି କାଉନସେଲିଂ କରିଥିଲେ । ହେଲେ ସମାଧାନର ବାଟ ବାହାରି ପାରି ନଥିଲା । ପରେ ଅନୁଭବ ପରିବାର ଅଦାଲତଙ୍କ ନିକଟରେ ବର୍ଷାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କରିବା ସହ ମିଳାମିଶା ପ୍ରକି୍ରୟା ଶେଷ ପାଇଁ ଅନୁରୋଧ କରିଛନ୍ତି । ଅନ୍ୟ ପକ୍ଷରେ ଅନୁଭବ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ମୁଁ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ସର୍ବସାଧାରଣରେ ଆଲୋଚନା କରିବାକୁ ଚାହୁଁନାହିଁ । ଅନୁଭବଙ୍କ ଓକିଲ ଆଲୋକ ମହାପାତ୍ର କହିଛନ୍ତି, ବର୍ଷା କାଉନସେଲିଂ ରିପୋର୍ଟରେ ଦସ୍ତଖତ କରିବାକୁ ମନା କରିଛନ୍ତି । ତାଙ୍କର କାଉନସେଲିଂରେ ବିଶ୍ୱାସ ନାହିଁ । ଏବଂ ତାଙ୍କ ପ୍ରତି ପକ୍ଷପାତ କରାଯାଉଛି ବୋଲି ବର୍ଷା କହିଛନ୍ତି । ତେଣୁ ଆମ ପକ୍ଷରୁ ଏକ ଅଦାଲତ ଅବମାନନା ମାମଲା ଦାଏର କରାଯାଇଛି । ଏହି ମିଳାମିଶା ପ୍ରକି୍ରୟା ଶେଷ କରିବାକୁ ଅଦାଲତଙ୍କ ନିକଟରେ ଅନୁରୋଧ କରାଯାଇଛି । କନସିଲିଏଟର ଏହି ମାମଲାର ସମାଧାନ କରି କୋର୍ଟରେ ରିପୋର୍ଟ ଦାଖଲ କରିବେ । ଗୁରୁବାର କୋର୍ଟରେ ଅଦାଲତ ଅବମାନନା ମାମଲାର ଶୁଣାଣି ହେବ ।
Powered by Froala Editor