ଖୋର୍ଦ୍ଧାରେ ଡ୍ରୋନ୍ ଉତ୍ପାଦନ କାରଖାନା ପାଇଁ ୩୦୦ କୋଟି
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କମିଟି ୨୩ଟି ଗୁରୁତ୍ବପୂର୍ଣ୍ଣ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏସବୁ ପ୍ରକଳ୍ପରେ ୪୯୮୨ କୋଟି ଟଙ୍କା ବିନିଯୋଗ ହେବା ସହିତ ୧୧,୯୩୩ ଜଣଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ଲୁମିନସ୍ କମ୍ପାନୀ ୯୫୦ କୋଟି ଟଙ୍କା ବ୍ୟୟରେ ଗୋପାଳପୁର ଠାରେ ଏକ ସୋଲାର୍ ସେଲ ଓ ପିଭି ଉତ୍ପାଦନ କାରଖାନା ବସାଇବ। ଏଠାରେ ଏକ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ। କେପିଆର ମିଲ୍ ଲି. ଖୋର୍ଦ୍ଧାରେ ୩୫୦ କୋଟି ଟଙ୍କା ବିନିଯୋଗ କରି ବୟନ ଶିଳ୍ପ ସ୍ଥାପନ କରିବା ସହ ୫ ହଜାର ଲୋକଙ୍କୁ ନିଯୁକ୍ତି ଦେବ। ସେହିପରି ବନ ଭି ଟେକ୍ନୋଲୋଜି କମ୍ପାନୀ ଡ୍ରୋନ୍ ଉତ୍ପାଦନ କାରଖାନା ବସାଇବା ପାଇଁ ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କା ନିବେଶ କରିବା । ଏମ୍ପୋସିସ୍ ଟେକ୍ନୋଲୋଜିସ୍ ଖୋର୍ଦ୍ଧାରେ ସଫ୍ଟୱେର କମ୍ପାନୀ ପ୍ରତିଷ୍ଠା ପାଇଁ ୬୫ କୋଟି ଟଙ୍କା ନିବେଶ ସହ ୧୫୫ ଜଣଙ୍କୁ ନିଯୁକ୍ତି ଦେବ। ଜଗନ୍ନାଥ କର୍ପୋରେସନ୍ ପୁରୀରେ ୧୨୦ କୋଟି ଟଙ୍କା ବ୍ୟୟରେ ଏକ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା କରିବ। ଲିଣ୍ଡେ ଇଣ୍ଡିଆ ଲି. ସୁନ୍ଦରଗଡ଼ରେ ଶିଳ୍ପ ଗ୍ୟାସ୍ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୫୧୦ କୋଟି ଟଙ୍କା। ବିଦ୍ୟାଳ ମିନେରାଲ ସୁନ୍ଦରଗଡ଼ରେ ୬୨୦ କୋଟି ଟଙ୍କା ବ୍ୟୟରେ ଇସ୍ପାତ କାରଖାନା ସ୍ଥାପନ କରି ୫୨୫ ଜଣଙ୍କୁ ନିଯୁକ୍ତି ଦେବ। ଜଟିଆ ଷ୍ଟିଲ ଯାଜପୁରରେ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ୪୫୧ କୋଟି ଟଙ୍କା, ଆମଷ୍ଟେଡ୍ ଷ୍ଟିଲ ଖୋର୍ଦ୍ଧାରେ ରେଳବାଇ ବଗି ନିର୍ମାଣ କାରଖାନା ପାଇଁ ୨୫୦ କୋଟି, ହିନ୍ଦୁସ୍ତାନ ଆକ୍ବା ସୁନ୍ଦରଗଡ଼ରେ ପାନୀୟ କାରଖାନା ପାଇଁ ୩୨୦ କୋଟି, ପ୍ରଗତି ମିଲ୍କ ବାଲେଶ୍ବରରେ ଦୁଗ୍ଧ ପ୍ରସ୍ତୁତ ଖାଦ୍ୟ କାରଖାନା ପାଇଁ ୧୧୪ କୋଟି ଟଙ୍କା ନିବେଶ କରିବେ।
Powered by Froala Editor