ଜୁଆ ଖେଳୁଥିଲେ ପ୍ରଧାନଶିକ୍ଷକ, ବାନ୍ଧିନେଲା ପୁଲିସ
ଭୁବନେଶ୍ୱର : ଛେଣ୍ଡିପଦା ବ୍ଲକର ଜଣେ ପ୍ରଧାନଶିକ୍ଷକ ଜୁଆଖେଳି ପୁଲିସ ହାତରେ ଧରାପଡ଼ିବା ଘଟଣା ଚର୍ଚ୍ଚା ସୃଷ୍ଟିକରିଛି । ଜୁଆ ଖେଳିବାବେଳେ ଉକ୍ତ ପ୍ରାଧାନଶିକ୍ଷକଙ୍କ ସମେତ ୫ ଜଣ ଧରାପଡ଼ି ଗିରଫ ହୋଇଛନ୍ତି । ଜୁଆ ଆଡ଼ାରୁ ଟଙ୍କା ଓ ବାଇକ ଜବତ ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ, ଛେଣ୍ଡିପଦା ଜଗନ୍ନାଥ ମନ୍ଦିରରେ ବିଧି ମୁତାବକ ଘୋଷଯାତ୍ରା ଶେଷ ହେବା ପରେ ରାତି ପ୍ରାୟ ସାଢେ଼ ୧୧ଟାବେଳେ ମନ୍ଦିର ବାରଣ୍ଡାରେ କିଛି ଯୁବକ ପକାଇଥିଲେ ଜୁଆ ପାଲି । ବିଶ୍ୱସ୍ତ ସୂତ୍ରରୁ ପୁଲିସ ପାଖରେ ଏହି ଖବର ପହଞ୍ଚିଥିଲା । ଡିଏସପି ସୁଶାନ୍ତ ସିଂହଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ସେଠାରେ ଅତର୍କିତ ଚଢ଼ଉ କରିଥିଲା । ଘଟଣାସ୍ଥଳରୁ ୫ ହଜାର ଟଙ୍କା ଓ ଏକ ବାଇକ ଜବତ କରାଯାଇଥିଲା । ଏଥିସହ ଜୁଆ ଖେଳୁଥିବା ବ୍ରାହ୍ମଣବିଲ ପଞ୍ଚାୟତ ଟାକୁଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଳୟ ପ୍ରଧାନ(୩୮)ଙ୍କ ସମେତ ରଞ୍ଜିତ ପ୍ରଧାନ(୩୧), ଶଶଧର ସାହୁ(୪୦), କାର୍ତ୍ତିକେଶ୍ୱର ସାହୁ(୪୩) ଓ ନୀଲକମଲ ସାହୁ(୩୮)ଙ୍କୁ ପୁଲିସ ଗିରଫ କରିଥିଲା । ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁରେ । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାଣିବକୁ ମିଳିଛି ।
Powered by Froala Editor