ଭାରତକୁ ଝଟକା, ପଳାତକ ଚୋକ୍ସିଙ୍କୁ ଜାମିନ ଦେଲେ ଡୋମିନିକା କୋର୍ଟ
ଭାରତୀୟ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଲୁଟି ଫେରାର ହୋଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବଡ ଆଶ୍ଵସ୍ତି ମିଳିଛି। ସେ ମେ’ ୨୩ରୁ ଡୋମିନିକାରୁ ଗିରଫ ହୋଇ ଜେଲ୍ରେ ଥିଲେ। କିନ୍ତୁ ଡୋମିନିକା କୋର୍ଟ ମେହୁଲ ଚୋକସିଙ୍କୁ ଚିକିତ୍ସା ଆଧାରରେ ଜାମିନ୍ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଆଣ୍ଟିଗୁଆ ଓ ବାରବୁଡା ଯିବାକୁ ଅନୁମତି ମିଳିଛି। କୋର୍ଟଙ୍କ ଏହି ପଦକ୍ଷେପରେ ଭାରତକୁ ଝଟକା ଲାଗିଛି । ତାଙ୍କୁ ଡୋମିନିକା ହାଇକୋର୍ଟ ଜାମିନ ପାଇଁ ୧୦ ହଜାର ଇସି(ଇଷ୍ଟର୍ଣ୍ଣ କାରେବିୟାନ ଡଲାର) ଜମା କରିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ଭାରତରୁ ଫେରାର ହେବା ପରେ ସେ ୨୦୧୮ରୁ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲେ। ହେଲେ କିଛି ଦିନ ତଳେ ସେ ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। କାରେବିୟାନ ସମୁଦ୍ରରେ ଚୋକସି ସମୁଦ୍ରରେ କିଛି ଦସ୍ତାବିଜ୍ ଫୋପାଡ଼ୁ ଥିବା ବେଳେ ପୁଲିସ୍ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ପୁଲିସକୁ ଦେଖିବା କ୍ଷଣି ସେ ଦୌଡ଼ିବା ଆରମ୍ଭ କରିଥିଲେ। ପୁଲିସ୍ ତାଙ୍କୁ ଦୀର୍ଘ ସମୟ ଧରି ଗୋଡ଼ାଇବା ପରେ ଶେଷରେ କାବୁ କରିଥିଲା। ସମୁଦ୍ର କୂଳରେ ଚୋକସିଙ୍କୁ ଗିରଫ କରିବା ପରେ ତାଙ୍କୁ ଡୋମିନିକା ପୁଲିସ ନିଜ ହେପାଜତକୁ ନେଇଥିଲା। ଗିରଫ ହେବା ପରେ ହିଁ ଚୋକସି ଜଣେ ଅନ୍ତର୍ଜାତୀୟ ପଳାତକ ବୋଲି ଡୋମିନିକା ସିଆଇଡି ଜାଣିବାକୁ ପାଇଥିଲା। ତାଙ୍କ ନାଁରେ ଇଣ୍ଟରପୋଲ ମଧ୍ୟ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା।
ଚୋକସି ପୁଲିସ୍ ହେପାଜତରୁ ଖସିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ଲାଭ ମିଳି ନଥିଲା। ଅପହରଣ ନାଟକ ରଚିବା ପାଇଁ ଚୋକସିଙ୍କ ଭାଇ ଡୋମିନିକାର ବିରୋଧୀ ଦଳ ନେତାଙ୍କ ସହାୟତା ଲୋଡ଼ିଥିଲା। ହେଲେ ଏହି ପ୍ରୟାସ ମଧ୍ୟ ସଫଳ ହୋଇ ନଥିଲା।
Powered by Froala Editor