ଜମୁଛି ବେପାରୀଙ୍କ ଭିଡ଼, ୨୦ ହଜାର ଟଙ୍କା ମୂଲ୍ୟର କୁକୁଡ଼ା

ଭୁବନେଶ୍ୱର : କୁକୁଡ଼ା ଗୋଟି ପିଛା ଅତିବେଶୀରେ ୫୦୦ରୁ ହଜାରେ ଭିତରେ ହୋଇଥାଏ । କିନ୍ତୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକସ୍ଥିତ ଛୋଟ ଗାଁ ସୋରଡାରେ ଏବେ ପ୍ରତିଦିନ ବିହାର, ଝାଡ଼ଖଣ୍ଡ ଓ ଛତିଶଗଡରୁ ଆସିଥିବା ବେପାରୀଙ୍କ ଭିଡ଼ ଜମୁଛି । କାରଣ ହେଉଛି, ୮ରୁ ୨୦ ହଜାର ଟଙ୍କା ମୂଲ୍ୟର କୁକୁଡ଼ା । ଦେଶ, ବିଦେଶର ନାନା ପ୍ରଜାତିର କୁକୁଡାଙ୍କୁ ନେଇ ସେଠାରେ ଏକ ଫାର୍ମ କରିଛନ୍ତି ମୁସ୍ତାକ ଅନସାରୀ । ତାଙ୍କ ଫାର୍ମରେ ରହିଛନ୍ତି ୧୦ରୁ ଅଧିକ ପ୍ରଜାତିର କୁକୁଡା, ଯେମିତିକି ଥାଇଲାଣ୍ଡର ବ୍ଲାକଜେଟ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅସିଲ ସହ ପରୋଡ ବିକ, ହାଇ ପ୍ଲାୟେର, ସିମ୍ଭି, କଡକନାଥ ଓ ଟେମ୍ପର ଟେଲ ଇତ୍ୟାଦି । ତେବେ ଏମାନଙ୍କ ଭିତରେ ସବୁଠୁ ଅଧିକ ଦର ହେଉଛି ବ୍ଲାକଜେଟ । ଏହାର ସାଢେ ତିନି କେଜି ଓଜନର କୁକୁଡ଼ା ବିକ୍ରି ହେଉଛି ୯ ହଜାର ଟଙ୍କାରେ । ୫ରୁ ୬ କେଜି ଓଜନର କୁକୁଡା ୧୫ରୁ ୨୦ ହଜାର ଟଙ୍କାରେ । ତେବେ ଦାମ ଅଧିକ ରହିଲେ ହେଁ ଏହାର ରହିଛି ଢେ଼ର ଚାହିଦା । ବ୍ଲକଜେଟ କୁକୁଡ଼ାର ମାଂସ ସଂପୂର୍ଣ୍ଣ କଳା । ଏଥିରେ ଅନେକ ଔଷଧୀୟ ଗୁଣ ଥିବା ବିଶ୍ୱାସ କରାଯାଏ । ପୂର୍ବେ ଥାଇଲାଣ୍ଡର ରାଜବଂଶର ଲୋକେ ଏହାର ମାଂସ ଖାଉଥିଲେ ବୋଲି ଶୁଣାଯାଏ । ଚାହିଦା ଅଧିକ ଅଧିକ ଥିବାରୁ ମୁସ୍ତାକ ବେଶ ଭଲ ଦି ପଇସା ରୋଜଗାର କରୁଛନ୍ତି । ବର୍ଷା, ଶୀତ ଓ ଗ୍ରୀଷ୍ମ ଋତୁରେ ଜଳବାୟୁକୁ ସହ୍ୟ କରିପାରୁଥିବା ଭିନ୍ନ ଭିନ୍ନ ପ୍ରଜାତିର କୁକୁଡା ଚାଷ କରୁଛନ୍ତି ସେ । ନିଜ ଫାର୍ମରେ ଏବେ ୨୦ ଲକ୍ଷରୁ ଅଧିକ ଟଙ୍କାର କୁକୁଡା ରଖିଛନ୍ତି ।
Powered by Froala Editor