୫ରୁ ଖରିଫ ଧାନ ସଂଗ୍ରହ ପାଇଁ ଅନ୍ଲାଇନ ପଞ୍ଜିକରଣ ଆରମ୍ଭ, ଅଗଷ୍ଟ ୧୬ ଯାଏ ଚାଲିବ

ଜୁଲାଇ ୧୫ ତାରିଖରୁ ଖରିଫ ଧାନ ସଂଗ୍ରହ ପାଇଁ ଅନ୍ଲାଇନରେ ଚାଷୀଙ୍କ ନାମ ପଞ୍ଜିକରଣ ହେବ । ଏହି ପଞ୍ଜିକରଣ ଅଗଷ୍ଟ ୧୬ ତାରିଖ ଯାଏ ଚାଲିବ । ଚାଷୀମାନେ ଜୁଲାଇ ୧୫ରୁ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଫର୍ମ ଓ ଆବଶ୍ୟକ ଦସ୍ତାବିଜ୍ ଦାଖଲ କରିପାରିବେ ।
ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଧାନ ବିକ୍ରି ପାଇଁ ଚାଷୀଙ୍କୁ ସାନି ପଞ୍ଜିକରଣ କରିବାକୁ ପଡ଼ିବ । ପୂର୍ବ ପଞ୍ଜିକରଣ ନବୀକରଣ ହେବ ନାହିଁ। ପ୍ରତ୍ୟେକ ସୋସାଇଟିରେ ଚାଷୀ ପଞ୍ଜିକରଣ ଫର୍ମ ଚାଷୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଚାଷୀମାନେ ସୁବିଧାରେ ଫର୍ମ ପୂରଣ କରିବା ପାଇଁ ପ୍ରତ୍ୟେକ ସୋସାଇଟିରେ ଗୋଟିଏ ହେଲପ୍ ଡେସ୍କ ରହିବ । ଚାଷୀମାନେ ଫର୍ମରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବେ । କେହି ଭୁଲ୍ ତଥ୍ୟ ପ୍ରଦାନ କଲେ ସେମାନେ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍ ପଡ଼ିବେ । ତେବେ ଏଥିପାଇଁ ଏହି ତଥ୍ୟକୁ ଅପଲୋଡ୍ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚାଷୀମାନେ ଚଳିତ ଖରିଫରେ ପ୍ରକୃତରେ କେତେ ପରିମାଣ ଜମିରେ ଧାନ ଚାଷ କରିଛନ୍ତି ତା’ର ସତ୍ୟତା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଂଚ କରିବାକୁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପ୍ଲଟଗୁଡ଼ିକ ‘ଭୂଲେଖ’ରେ ନଥିବ ସେଗୁଡ଼ିକ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ଯାଂଚ କରାଯିବ ।
କୌଣସି ଆପତ୍ତି-ଅଭିଯୋଗ ଆସିଲେ ତା’ର ତୁରନ୍ତ ଶୁଣାଣି କରାଯିବ । ସମସ୍ତ ରେଜିଷ୍ଟ୍ରେସନ ଫର୍ମର ଡିଜିଟାଇଜେସନ୍ କାର୍ଯ୍ୟ ଜୁଲାଇ ୧୮ରୁ ଅଗଷ୍ଟ ୨୨ତାରିଖ ମଧ୍ୟରେ ଶେଷ ହେବ । ସେପ୍ଟେମ୍ବର ୭ତାରିଖ ସୁଦ୍ଧା ସମସ୍ତ ଯାଂଚ କାର୍ଯ୍ୟ ଶେଷ ହେବ ଓ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ଚାଷୀ ନାମ ପଞ୍ଜିକରଣର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜମି ମାଲିକଙ୍କ ସମ୍ମତି ପତ୍ର ବିନା ଭାଗଚାଷୀମାନେ ଧାନ ବିକ୍ରି ପାଇଁ ନିଜର ନାମ ପଞ୍ଜିକରଣ କରିପାରିବେ ନାହିଁ । ଭାଗଚାଷୀଙ୍କୁ ଜମି ମାଲିକଙ୍କ ଆଧାର କାର୍ଡର ନକଲ ଓ ମୋବାଇଲ ନମ୍ବର ଦାଖଲ କରିବାକୁ ପଡ଼ିବ ।
Powered by Froala Editor