ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ଜେଲରୁ ମୁକ୍ତି ପାଇଲେ ମହେନ୍ଦ୍ର
ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ରମଙ୍କୁ ଜେଲରୁ ମୁକ୍ତି ମିଳିଛି। ମହେନ୍ଦ୍ର ହେମ୍ବ୍ରମଙ୍କୁ ଦୀର୍ଘ ୨୫ ବର୍ଷ ପରେ କେନ୍ଦୁଝର ଜେଲରୁ ମୁକ୍ତି ପାଇଛନ୍ତି। ଜେଲରେ ମହେନ୍ଦ୍ରଙ୍କର ଆଚରଣ ଉତ୍ତମ ଧରଣର ଥିବାରୁ ମୁକ୍ତି ପାଇଁ ସରକାର ସୁପାରିଶ କରିଥିଲେ। ଆଉ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ମହେନ୍ଦ୍ରଙ୍କୁ ୨୫ ବର୍ଷ ପରେ ମୁକ୍ତି କରାଯାଇଛି।
ସୂଚନା ଅନୁସାରେ, ୧୯୯୯ ମସିହା ଜାନୁଆରୀ ୨୨-୨୩ ତାରିଖ ରାତିରେ କେନ୍ଦୁଝର ଜିଲାର ମନୋହରପୁର ଗାଁରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁତ୍ର ଫିଲିପ (୧୧) ଏବଂ ଟିମୋଥି (୮)ଙ୍କୁ ଏକ ଉତ୍ତେଜିତ ଜନତା ସେମାନଙ୍କ ଷ୍ଟେସନ ଓାଗନ ଭିତରେ ପୋଡ଼ି ହତ୍ୟା କରିଥିଲେ। ଏହି ଘଟଣାରେ ଦାରା ସିଂ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ମହେନ୍ଦ୍ର ହେମ୍ବ୍ରମଙ୍କୁ ତାଙ୍କ ସହଯୋଗୀ ଭାବେ ଗିରଫ କରାଯାଇଥିଲା। ୨୦୦୩ରେ ସିବିଆଇ କୋର୍ଟ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଏବଂ ମହେନ୍ଦ୍ରଙ୍କ ସମେତ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ।
ଗ୍ରାହାମ ଷ୍ଟେନ୍ସ ଜଣେ ସାମାଜିକ କର୍ମୀ ଏବଂ ମିଶନାରୀ ସଦସ୍ୟ ଥିଲେ। ଯିଏ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯଥା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ, ୩୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଥିଲେ। ସେ କୁଷ୍ଠରୋଗୀଙ୍କ ସେବା ଏବଂ ଆଦିବାସୀ ସମୁଦାୟର ଶିକ୍ଷା ଓ ସ୍ୱାସ୍ଥ୍ୟ ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ। ତାଙ୍କ କାର୍ଯ୍ୟ ମୁଖ୍ୟତଃ ଖ୍ରୀଷ୍ଟିୟାନ ମିଶନାରୀ ସଂଗଠନ ସହ ଜଡ଼ିତ ଥିଲା, ଯାହା କିଛି ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ଧର୍ମାନ୍ତରଣ ଅଭିଯୋଗକୁ ନେଇ ବିବାଦ ସୃଷ୍ଟି କରିଥିଲା।
୧୯୯୯ ଜାନୁଆରୀ ୨୨-୨୩ ରାତିରେ, ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ପୁତ୍ର ଏକ ଗାଡ଼ି ଭିତରେ ଶୋଇଥିବା ବେଳେ ଏକ ଜନତା ସେମାନଙ୍କ ଗାଡ଼ିକୁ ଘେରି ନିଆଁ ଲଗାଇ ଦେଇଥିଲେ। ସେତେବେଳେ ଏହି ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇଥିଲା। ଆଉ ଏହି ହତ୍ୟା ଅଭିଯୋଗରେ ମହେନ୍ଦ୍ର ହେମ୍ୱ୍ରମ ୨୦୦୦ ମସିହାରୁ ଦୀର୍ଘ ୨୫ ବର୍ଷ ଧରି ଆଜୀବନ ସଜା କାଟୁଥିଲେ।
Powered by Froala Editor