ପତ୍ନୀଙ୍କ ମୃତୁ୍ୟ ଖବର ଶୁଣି ଟଳି ପଡ଼ିଲେ ସ୍ୱାମୀ
କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ୫ ନଂ ୱାର୍ଡ ଗୋଡ଼ିସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀଙ୍କ ମୃତୁ୍ୟ ଖବର ଶୁଣିବା ପରେ ସ୍ୱାମୀ ହୃଦଘାତରେ ଆଖି ବୁଜିଛନ୍ତି । ଦେଢ଼ଘଣ୍ଟା ବ୍ୟବଧାନରେ ଉଭୟଙ୍କ ମୃତୁ୍ୟ ହୋଇଥିବା ବେଳେ ଗ୍ରାମ ଶ୍ମଶାନରେ ବୃଦ୍ଧ ଦମ୍ପତିଙ୍କ ଜୁଇ ଏକାଠି ଜଳିଛି । ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସୂଚନା ଅନୁସାରେ ଗୋଡିସାହିର ବୁଲା ଖଟୁଆ (୭୨) ଙ୍କ ସ୍ତ୍ରୀ ତରା (୬୫) କିଛି ଦିନ ପୂର୍ବେ ଅସୁସ୍ଥ ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଡାକ୍ତର ତାଙ୍କୁ ଡିସଚାର୍ଜ କରିଥିଳେ । ଦୁଇ ଦିନ ହେଲା ସେ ଘରକୁ ଫେରିଥିବା ବେଳେ ଅପରାହ୍ନ ପ୍ରାୟ ୩ଟାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଏହି ଖବର ଶୁଣିବା ପରେ ସ୍ୱାମୀ ବୁଲା ହଠାତ ଅସୁସ୍ଥ ହୋଇପଡ଼ିଲେ । ଗୋଟି ପଟେ ତରାଙ୍କ ମୃତଦେହ ଘରେ ପଡି ରହିଥିବା ବେଳେ ବୁଲାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାୟ ସାଢେ଼ ୪ଟାରେ ତାଙ୍କର ମୃତୁ୍ୟ ହୋଇଥିଲା ।
Powered by Froala Editor