ବାହାରକୁ ଛାଡନ୍ତୁ ନାହିଁ ଗାଈ, ବିଏମସି ଦେଲା ଏଭଳି ଚେତାବନୀ
ଭୁବନେଶ୍ୱର : ବାହାରକୁ ଗାଈଗୋରୁ ନ ଛାଡ଼ିବାକୁ ବିଏମସି ବାରମ୍ବାର କହିବା ପରେ ବି ରାଜଧାନୀବାସୀ ମାନୁନାହାନ୍ତି । ରାସ୍ତାରେ ମାଳମାଳ ଗାଈ, ମଇଁଷି ବୁଲୁଛନ୍ତି । ଏହାଦ୍ୱାରା ରାଜଧାନୀରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଟ୍ରାଫିକ୍ ଜାମ୍ ହେଉଛି । ତେଣୁ ରାସ୍ତାରେ ବୁଲୁଥିବା ଗାଈକୁ ବିଏମସି ରାଜଧାନୀ ନିକଟବର୍ତ୍ତୀ ଅଞ୍ଚଳରେ ଦୁଗ୍ଧ ଚାଷ କରୁଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଦେଇଦେବାକୁ ନିଷ୍ପତ୍ତି ନେଇଛି । ସୋମବାର ଏ ନେଇ ବିଏମସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଖୋର୍ଦ୍ଧା, ପୁରୀ, କଟକର ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିଦେ୍ର୍ଧଶକଙ୍କୁ ଚିଠି ଲେଖି ସେମାନଙ୍କ ଜିଲ୍ଲରେ ଦୁଗ୍ଧଚାଷ କରୁଥିବା ମହିଳା ଏସଏଚଜି ତାଲିକା ଓ ଠିକଣା ମାଗିଛନ୍ତି । ବିଏମସି ପକ୍ଷରୁ କୁହାଯାଇଛିଯେ, ରାଜଧାନୀ ରାସ୍ତାରେ ବହୁ ଗାଈ ଓ ଷଣ୍ଢ ବୁଲୁଥିବାରୁ ବହୁ ସମସ୍ୟା ହେଉଛି । ତେଣୁ ଏହି ଗୋରୁଙ୍କୁ ରାସ୍ତାକୁ ନ ଛାଡ଼ିବାକୁ ଏବଂ ରାସ୍ତା ଛାଡ଼ିଲେ କାଞ୍ଜିଆହୁଦାରେ ରଖି ଜରିମାନା ଆଦାୟ କରିବାକୁ ୨୦୧୮ରେ ନିଷ୍ପତ୍ତି ହୋଇଥିଲା । ପରେ ୧୦.୧୧.୨୦୨୦ରେ ନିଷ୍ପତ୍ତି ହୋଇଥିଲା ଯେ ଗାଈକୁ ଯଦି ମାଲିକ ତିନି ଦିନ ଭିତରେ ନ ନେବେ, ତେବେ ଏହାକୁ ଦୁଗ୍ଧଚାଷୀଙ୍କୁ ଦେଇ ଦିଆଯିବ । ଏବେଠୁ ଏହାକୁ ଲାଗୁ କରାଯିବ । ଯେଉଁ ଗାଈ ରାସ୍ତାରେ ବୁଲୁଥିବେ ତାଙ୍କୁ ବିଏମସି ସ୍କ୍ୱାଡ ଉଠାଇ ଆଣି ୟୁନିଟ-୩ସ୍ଥିତ କାଞ୍ଜିଆହୁଦାରେ ରଖିବ । ସେମାନଙ୍କ କାନରେ ଲାଗିଥିବା ଟ୍ୟାଗରୁ ମାଲିକଙ୍କ ନମ୍ବର ସଂଗ୍ରହ କରି ଗାଈ ନେବାକୁ ଫୋନ କରାଯିବ । ଦିନକୁ ହଜାରେ ଟଙ୍କା ହିସାବରେ ଜରିମାନା ଆଦାୟ କରାଯିବ । ତିନି ଦିନ ଭିତରେ ଯଦି କେହି ଗାଈକୁ ଜରିମାନା ଦେଇ ନ ନେବେ କିମ୍ବା ଏହି ସମୟରେ ଯଦି କେହି ଜରିମାନା ଦେବେନି, ତେବେ ଗାଈକୁ ନିକଟସ୍ଥ ବ୍ଲକର ବିଡିଓଙ୍କ ମାଧ୍ୟମରେ ଦୁଗ୍ଧ ଚାଷ କରୁଥିବା ମହିଳା ଏସଏଚଜିକୁ ହସ୍ତାନ୍ତର କରାଯିବ । ଏହା ଆଇନଗତ ଉପାୟରେ କରାଯିବ । ଥରେ ଗାଈ ହସ୍ତାନ୍ତର ହେବା ପରେ ମାଲିକ ଏହାକୁ ଫେରି ପାଇବେନି । ଅତିରିକ୍ତ କମିସନର କହିଛନ୍ତି; ଆମେ ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଶୀଘ୍ର ତାଲିକା ଦେବାକୁ କହିଛୁ । ତାଲିକା ମିଳିବା ପରେ ଆମେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବୁ । ସେହିପରି ଷଣ୍ଢଗୁଡ଼ିକୁ ଜାମୁକୋଳିସ୍ଥିତ କାଞ୍ଜିଆହୁଦାରେ ରଖାଯିବ ।
Powered by Froala Editor