ଗୋଟିଏ ଅଟୋରିକ୍ସାରେ ଯାଉଥିଲେ ୨୫ ଜଣ, ଭାରସାମ୍ୟ ହରାଇ ଓଲଟି ପଡ଼ିଲା
ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ମେଡିକାଲ୍ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ଅଟୋରିକ୍ସାରେ ୨୫ ଜଣ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏହା ଓଲଟି ପଡ଼ିଛି । ଏଥିରେ ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନେ ହେଲେ ଅରାକାମ୍ବା ଗ୍ରାମର ଏକ ବର୍ଷର ଶିଶୁ ବର୍ଷା ମଳିକ, ଚିଣ୍ଟୁ ମଳିକ (୧୬), କାନିରୀ ମଳିକ (୬୦), ଲଳିତା ପ୍ରଧାନ (୩୫) । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସିମନବାଡ଼ି ମେଡିକାଲ୍ରେ ଭର୍ତ୍ତି କରିଥିଲା । ଗୁରୁତର ୪ ଜଣଙ୍କୁ ବାଲିଗୁଡ଼ା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ଅଟୋରିକ୍ସାକୁ ପୁଲିସ୍ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ଓଡ଼ି୧୨ଡ଼ି-୩୩୨୪ ପାସେଞ୍ଜର ଅଟୋ ୨୫ ଜଣ ଲୋକଙ୍କୁ ଧରି ସୋମବାର ଦିନ ସାଢ଼େ ୨ଟା ସମୟରେ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଅରାକାମ୍ବା ଗ୍ରାମରୁ ପର୍ତମାହା ପଞ୍ଚାୟତ ଅନ୍ତର୍ଗତ କାଡାସପାଟା ଗ୍ରାମର ଏକ ଭୋଜିକୁ ଯାଉଥିବା ସମୟରେ ସିମନବାଡ଼ି ମେଡ଼ିକାଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ଅଟୋରିକ୍ସାରେ ସର୍ବାଧିକ ୪ ଜଣ ବସିବାକୁ ପରିବହନ ବିଭାଗର ନିୟମ ରହିଛି । ହେଲେ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଟୋରିକ୍ସାରେ କିଭଳି ଭାବେ ୨୫ ଜଣ ଯାତ୍ରା କରୁଥିଲେ । ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
Powered by Froala Editor