ଅଭାବ ପୂରଣ କରିବ ‘ଆଳୁ ଚାଷ’
ଆଳୁ ଚାହିଦା ମେଣ୍ଟାଇବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଫଳରେ ଅନେକ ସମୟରେ ବଜାରରେ ଆଳୁର ଦର ଆକାଶ ଛୁଆଁ ହୋଇଯାଉଛି । ଏପରିସ୍ଥଳେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ନୟାଗଡ ପଞ୍ଚାୟତର କଟୁପାଲି ଗ୍ରାମବାସୀ ରୋଜଗାର ବଢ଼ାଇବା ଲକ୍ଷ୍ୟ ନେଇ ଆଳୁଚାଷ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଧାନ ଅମଳ ପରେ ୪୦ ଏକରରୁ ଅଧିକ ଜମିରେ ଲଗାଇଛନ୍ତି ୭୦ କ୍ୱିଣ୍ଟାଲରୁ ଅଧିକ ଆଳୁ ବିହନ ।
ଚଳିତ ବର୍ଷ ଓଡ଼ିଶା ଖଣି ନିଗମ ପକ୍ଷରୁ କଟୁପାଲିର ୯୫ ଜଣ ଚାଷୀ ଙ୍କୁ ୪୦ କିଲୋଗ୍ରାମ ଲେଖାଏଁ ବିହନ ଯୋଗାଇ ଦିଆଯାଇଥିଲା । ଏହାଛଡା ଚାଷୀମାନେ ନିଜେ ମଧ୍ୟ ଉନ୍ନତ ମାନର ଆଳୁ ବିହନ ସଂଗ୍ରହ କରିଥିଲେ । ଏହିପରି ମୋଟ ୪୦ ଏକରରୁ ଅଧିକ ପରିମିତ ଜମିରେ ୭୦ କ୍ୱିଣ୍ଟାଲରୁ ଅଧିକ ଆଳୁ ବିହନ ରୋପଣ କରିଛନ୍ତି କଟୁପାଲିର ଚାଷୀମାନେ । ଗତ ଜାନୁଆରୀ ମାସରେ ଆଳୁ ବିହନ ରୋପଣ କରିଥିବାବେଳେ ଆସନ୍ତା ମାସ ଆଳୁ ଅମଳ ହେବ । ଏହିପରି ଚଳିତ ବର୍ଷ ୫ ଶହ କ୍ୱିଣ୍ଟାଲରୁ ଅଧିକ ଆଳୁ ଅମଳ ଆଶା ରହିଥିବା କହିଛନ୍ତି ଚାଷୀକୁଳ ।
ତେବେ ଆଳୁ ଚାଷ ଦ୍ୱାରା ନିଜ ପରିବାରର ଆଳୁ ଚାହିଦା ପୂରଣ ହେବା ନେଇ ଚାଷୀ ମାନେ ଖୁସି ପ୍ରକଟ କରିଥିବାବେଳେ ଏକାବେଳେ ଏତେ ସଂଖ୍ୟକ ଆଳୁ ଉତ୍ପାଦନ ହେଉଥିବାରୁ ସଂରକ୍ଷଣ ଏବଂ ବିକ୍ରି ନେଇ ଚିନ୍ତାରେ ପଡ଼ିଛନ୍ତି । କଟୁପାଲିର ମାଟି ବାଲିଆ ଏବଂ ଦୋରସା ହୋଇଥିବାରୁ ଆଳୁ ଚାଷ ପାଇଁ ବେଶ୍ ଉ+ୃଷ୍ଟ ହେଉଥିବା ଚାଷୀମାନେ କହିଛନ୍ତି । ହେଲେ ଆଳୁ ଚାଷର ପ୍ରୋତ୍ସାହନ, ସଂରକ୍ଷଣ, ବଜାରିକରଣ ଦିଗରେ ସରକାରଙ୍କ ତରଫରୁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ।
ଏହାକୁ ନେଇ ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା କହିଛନ୍ତି, କଟୁପାଲିରେ ଏତେ ପରିମାଣର ଆଳୁ ଚାଷ କରାଯିବା ନିଶ୍ଚିତ ଭାବେ ଖୁସିର କଥା । ଏହା ସାଂପ୍ରତିକ ଆଳୁ ସମସ୍ୟା ସମାଧାନ ଦିଗରେ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ହେବ । ଝୁମ୍ପୁରା ବ୍ଲକରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ଯାଇଛି । ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯିବ ।
Powered by Froala Editor