କରୋନା ସଂକ୍ରମଣ ପରେ ଶରୀରରେ ମିଳାଇ ଯାଉଛି ହାଡ଼
ମୁମ୍ବାଇ: କରୋନା ପରେ ଲୋକମାନଙ୍କ ଠାରେ ବିଭିନ୍ନ ସମସ୍ୟା ଦେଖାଯାଉଛି । ସଂକ୍ରମଣରୁ ମୁକ୍ତ ହେବା ପରେ କାହାର ଫୁସ୍ଫୁସ୍ ଖରାପ ହୋଇଯାଉଛି ତ ଆଉ କିଏ ବ୍ଲାକ୍ ଫିଙ୍ଗସ୍ ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି । ଯାହାକି ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି । ଏସବୁ ଭିତରେ ଏବେ ପୁଣି ଏକ ନୂଆ ରୋଗ ସାମ୍ନାକୁ ଆସିଛି । ବର୍ତ୍ତମାନ ଆଭାସ୍କୁଲାର ନେକ୍ରୋସିସ୍ ରୋଗ ଦେଇଖାଦେଇଛି । ଏହାଦ୍ୱାରା ଶରୀରରେ ହାଡ଼ ମିଳି ଯାଉଛି ।
ଆଭାସ୍କୁଲାର ନେକ୍ରୋସିସରେ ହାଡ ତରଳିଯିବା ଆରମ୍ଭ କରେ । ରକ୍ତ ଅସ୍ଥି ଟିସୁରେ ସଠିକ୍ ଭାବେ ପହଞ୍ଚୁ ନଥିବାରୁ ଏପରି ସମସ୍ୟା ଦେଖା ଯାଇଥାଏ । ମୁମ୍ବାଇରେ ଆଭାସ୍କୁଲାର ନେକ୍ରୋସିସ୍ ରୋଗ ଦେଖିବାକୁ ମିଳିଛି । ଏ ପର୍ଯ୍ୟନ୍ତ ୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ସମସ୍ତେ ଡାକ୍ତର ବୋଲି ଜଣାପଡ଼ିଛି । ସେମାନଙ୍କ ବୟସ ୪୦ ବର୍ଷରୁ କମ୍ । ଆକ୍ରାନ୍ତମାନେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେମାନେ ଚିକିତ୍ସିତ ହେଉଛନ୍ତି ।
ଆଗାମୀ ଦିନରେ ଏହି ମାମଲା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ଏବେଠାରୁ ଏହାର ପ୍ରତିକାର ପାଇଁ ଡାକ୍ତରମାନେ ଲାଗି ପଡ଼ିଲେଣି । ବିଶେଷଜ୍ଞମାନେ ଏହା ଉପରେ ତର୍ଜମା ଆରମ୍ଭ କରିଛନ୍ତି । କିଭଳି ଭାବେ ଏଥିରୁ ମୁକ୍ତି ପାଇବେ ସେନେଇ ଅନୁସନ୍ଧାନ ଆରମ୍ଭ ହୋଇଛି । ଷ୍ଟେରଏଡ୍ଗୁଡିକ ବ୍ଲାକ୍ ଫଙ୍ଗସ୍ ଏବଂ ଆଭାସ୍କୁଲାର୍ ନେକ୍ରୋସିସ୍ ରୋଗର ମୁଖ୍ୟ କାରଣ ବୋଲି କୁହାଯାଉଛି ।
ହିନ୍ଦୁଜା ହସ୍ପିଟାଲର ମେଡିକାଲ ନିର୍ଦ୍ଦେଶକ ସଞ୍ଜୟ ଅଗ୍ରୱାଲ କହିଛନ୍ତି ଯେ, ଆକ୍ରାନ୍ତମାନେ ତିନି ଜଣ ଯାକ ଡାକ୍ତର । କିଛିଦିନ ତଳେ କୋଭିଡ୍ରେ ଆକ୍ରାନ୍ତ ହୋଇଥିଲେ । ସଂକ୍ରମଣରୁ ମୁକ୍ତି ପରେ ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରୀକ୍ଷା ପରେ ଆଭାସ୍କୁଲାର ନେକ୍ରୋସିସରେ ଶିକାର ହୋଇଥିବା ଜଣାପଡ଼ିଥିଲା । ତେବେ ସେମାନଙ୍କୁ ଡାକ୍ତରୀ ବିଦ୍ୟା ଜଣାଥିବାରୁ ଏହା ସହଜରେ ଚିହ୍ନଟ ହୋଇପାରିଛି । ତୁରନ୍ତ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଛି । ଆଶା କରାଯାଉଛି ସେମାନେ ଖୁବ୍ ଶୀଘ୍ର ଆରୋଗ୍ୟ ହୋଇ ଘରକୁ ଫେରିବେ । ତେବେ ଯେଉଁ ବ୍ୟକ୍ତିମାନେ ଏଭଳି ସମସ୍ୟା ଭୋଗୁଛନ୍ତି ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଶ୍ରୀ ଅଗ୍ରୱାଲ୍ ଅନୁରୋଧ କରିଛନ୍ତି ।
Powered by Froala Editor