୧୫ ସୁଦ୍ଧା ସରିବ ରାସନକାର୍ଡ ଇ-କେୱାଇସି ଯାଂଚ
ଭୁବନେଶ୍ୱର: ଚଳିତମାସ ୧୫ତାରିଖ ସୁଦ୍ଧା ରାସନକାର୍ଡର ଆଧାରଭିତ୍ତିକ ଇ-କେୱାଇସି ଯାଂଚ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ ଭିତରେ ରାସନକାର୍ଡ ହିତାଧିକାରୀ ଥିବା ବୃଦ୍ଧବୃଦ୍ଧା ଓ ଅସୁସ୍ଥ ଲୋକଙ୍କୁ ଭେଟି କେୱାଇସି ଯାଂଚ କରିବା ନିମନ୍ତେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ବାହାରେ ଥିବା ଶ୍ରମିକମାନେ ଯୋଗାଯୋଗ କଲେ ସେଠାକୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ପଠାଯିବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାସନକାର୍ଡ ଇ-କେୱାଇସି ଯାଂଚ ପ୍ରକ୍ରିୟା ୮୫ ପ୍ରତିଶତ ଶେଷ ହୋଇସାରିଲାଣି । ଏପର୍ୟ୍ୟନ୍ତ ଆଉ ପ୍ରାୟ ୫୦ଲକ୍ଷ ବ୍ୟକ୍ତିଙ୍କ ଇ-କେୱାଇସି ଯାଂଚ ବାକି ରହିଛି । ଭୂତ ରାସନକାର୍ଡଧାରୀଙ୍କୁ ଚିହ୍ନଟ କରିବା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ସହ ସାଧାରଣ ବଂଟନ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା କାର୍ୟ୍ୟକ୍ରମକୁ ଅଧିକ ପାରଦର୍ଶୀ କରିବା ନିମନ୍ତେ ବିଜେପି ସରକାର ଏହି ପଦକ୍ଷେପ ନେଇଛନ୍ତି । ରାସନକାର୍ଡଧାରୀଙ୍କୁ ନିକଟସ୍ଥ ରାସନ୍ ଡିଲରଙ୍କ ପାଖକୁ ଯାଇ ଇ-ପିଓଏସ୍ ମେସିନ୍ ସହାୟତାରେ ନିଜର ଆଧାର ଲିଙ୍କ୍ ଓ କେୱାଇସି ଯାଂଚ ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ନଚେତ୍ ସେମାନଙ୍କର କାର୍ଡ ଅକାମୀ ହୋଇଯିବ ।
ଏହି ଇ-କେୱାଇସି ଯାଂଚ ମାଧ୍ୟମରେ ଏବେସୁଦ୍ଧା ରାଜ୍ୟରୁ ପ୍ରାୟ ୪୦ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇସାରିଲେଣି । ପ୍ରତ୍ୟେକ ଜିଲ୍ଲାରେ ପ୍ରାୟ ୧ଲକ୍ଷରୁ ଦେଢ଼ ଲକ୍ଷ ଭୂତ ରାସନକାର୍ଡଧାରୀ ଚିହ୍ନଟ ହୋଇଛନ୍ତି ।
Powered by Froala Editor