ଅତିଷ୍ଠ କରୁଥିଲା କାମ ଚାପ : ୩୨ ବର୍ଷୀୟ ଯୁବକ କାଟିଦେଲା ୪ଟି ଆଙ୍ଗୁଳି
ଗୁଜରାଟର ସୁରଟ ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଗୁଜରାଟର ୩୨ ବର୍ଷୀୟ ମୟୂର ତାରାପରା ସୁରଟସ୍ଥିତ ଏକ ଜୁଏଲାରି ଷ୍ଟୋରରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟସ୍ଥଳରେ ଅତ୍ୟଧିକ ଚାପ ଯୋଗୁ ଗତ ୮ରେ ସେ ନିଜ ଅଙ୍ଗୁଳିଗୁଡ଼ିକୁ କାଟି ଦେଇଛନ୍ତି। ମୟୂର ପ୍ରଥମେ ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିଯିବାରୁ କେହି ତାଙ୍କ ଅଙ୍ଗୁଳି କାଟି ଦେଇଥିବା କହିଥିଲେ। କିନ୍ତୁ ସେ ନିଜ ଅଙ୍ଗୁଳିକୁ ନିଜେ କାଟିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।
ସୁରଟ କ୍ରାଇମ ବ୍ରାଞ୍ଚ କହିବା ମୁତାବକ ମୟୂର ତାରାପାରା ନିଜର ଜଣେ ସମ୍ପର୍କୀୟଙ୍କ ହୀରା ଫାର୍ମରେ କମ୍ପ୍ୟୁଟର ଅପରେଟର ଭାବରେ କାମ କରୁଥିଲେ। ସେ ଏହି ଚାକିରି ଛାଡ଼ିବାକୁ ଚାହୁଁଥିଲେ। ହେଲେ ଏଠାରେ ଆଉ କାମ କରିବାକୁ ଚାହୁଁନାହାନ୍ତି ବୋଲି ତାଙ୍କ ସମ୍ପର୍କୀୟଙ୍କୁ କହିବାକୁ ତାଙ୍କର ସାହସ ନଥିଲା। ଆଙ୍ଗୁଠି କାଟିଦେଲେ ସେ ଏହି ଚାକିରି ପାଇଁ ଅଯୋଗ୍ୟ ହୋଇଯିବେ ବୋଲି ଭାବି ସେ ଏଭଳି ପଦକ୍ଷେପ ନେଇଛନ୍ତି।
ବିବାହିତ ମୟୂରଙ୍କ ୨ ବର୍ଷର ଝିଅ ଅଛି। ବାପା ଜଣେ କୃଷକ, ଯିଏକି ସୁରେନ୍ଦ୍ରନଗର ଜିଲା ଓ୍ବଧଭନ ଗ୍ରାମରେ ରହି ଚାଷ କାର୍ଯ୍ୟ କରୁଛନ୍ତି। ମୟୂର ଜୁଏଲେରି ଷ୍ଟୋରରୁ ମାସିକ ୫୦,୦୦୦ ଟଙ୍କା ଦରମା ପାଉଥିଲେ। ଇଞ୍ଜିନିୟରିଂରେ ବେଚ୍ଲର (ସିଭିଲ୍) ଡିଗ୍ରୀଧାରୀ ମୟୂର କହିଛନ୍ତି, ଜୁଏଲେରିରେ ତାଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଚାପ ପଡ଼ୁଥିଲା। ଏଥିରେ ଅତିଷ୍ଠ ହୋଇ ସେ ଚାକିରି ଛାଡ଼ିବାକୁ ଚାହୁଁଥିଲେ। କିନ୍ତୁ ପରିବାର ପ୍ରତି ଉତ୍ତରଦାୟିତ୍ୱ ଥିବାରୁ ଅର୍ଥ ଉପାର୍ଜନର ପନ୍ଥାକୁ ଛାଡ଼ିପାରି ନ ଥିଲେ। ଏହାବାଦ୍ ନିଯୁକ୍ତିଦାତା ଜଣକ ତାଙ୍କ ବାପାଙ୍କ ସମ୍ପର୍କୀୟ ହୋଇଥିବାରୁ ସେ କାମକୁ ମନା କରିପାରି ନ ଥିଲେ। ଶେଷରେ ଏକ ଛୁରିରେ ବାମହାତର ୪ ଅଙ୍ଗୁଳି କାଟିବାକୁ ବାଧ୍ୟ ହୋଇଛନ୍ତି।
Powered by Froala Editor