ବଡ଼ ଘୋଷଣା : ପ୍ରତି ମାସରେ ମହିଳା ପାଇବେ ୧୦୦୦ ଟଙ୍କା
ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ଆମ୍ ଆଦମୀ ପାର୍ଟି ଖେଳିଛି ମହିଳା ଭୋଟବ୍ୟାଙ୍କ୍ କାର୍ଡ। କେଜ୍ରିୱାଲ ‘ମହିଳା ସମ୍ମାନ ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନା ଦିଲ୍ଲୀ କ୍ୟାବିନେଟ ବୈଠକରେ ଅନୁମୋଦିତ ହୋଇଛି।
ଏହି ଯୋଜନାରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ କେଜ୍ରିୱାଲ। ତେବେ ନିର୍ବାଚନ ଜିତିଲେ ଏହି ରାଶିକୁ ବଢ଼ାଇ ୨୧୦୦ ଟଙ୍କା କରିଦିଆଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି।
କେଜ୍ରିୱାଲ କହିଛନ୍ତି, ମୁଁ ଦୁଇଟି ବଡ ଘୋଷଣା କରିବାକୁ ଯାଉଛି ଏବଂ ଏହା ଦିଲ୍ଲୀର ମା’ ଏବଂ ଭଉଣୀମାନଙ୍କ ପାଇଁ। ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ, ପ୍ରତି ମାସରେ ଆମେ ମହିଳାଙ୍କ ଆକାଉଣ୍ଟରେ ୧୦୦୦ ଟଙ୍କା ଜମା କରିବୁ। କ୍ୟାବିନେଟ ଏହାକୁ ପାସ କରିସାରିଛି, ମହିଳାମାନଙ୍କୁ ଏଥିପାଇଁ ପଞ୍ଜିକରଣ କରିବାକୁ ପଡିବ, ଥରେ ପଞ୍ଜୀକୃତ ହୋଇଗଲେ, ପ୍ରତି ମାସରେ ହଜାରେ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିବ।
ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ପାଇଁ ପଞ୍ଜୀକରଣ କରାଯିବ ବୋଲି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଘୋଷଣା ସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କିଛି ଦିନ ମଧ୍ୟରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି କାରଣରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲେ ମଧ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବ ନାହିଁ।
Powered by Froala Editor