ଆଉ ଫେରିବନି ଆର୍ଯ୍ୟନ୍ : ୧୪୭ ଫୁଟ୍ ତଳୁ ଉଦ୍ଧାର ତ ହେଲା, କିନ୍ତୁ ପ୍ରାଣ ନଥିଲା
୫୭ ଘଣ୍ଟାର ଯୁଦ୍ଧକାଳିନ ଅପରେସନ୍ ପରେ ବି ବଞ୍ଚାଇ ହେଲାନି ୫ ବର୍ଷର ଏହି ଆର୍ଯ୍ୟନକୁ। ରାଜସ୍ଥାନର ଦୌସା ଠାରେ ଆର୍ଯ୍ୟନ୍ ଖେଳୁ ଖେଳୁ ୧୪୭ ଫୁଟ୍ର ପରିତ୍ୟକ୍ତ ବୋରଓ୍ୱେଲ ଗାତରେ ଖସି ପଡିଥିଲା। ଗତ ସୋମବାରଠୁ ତାକୁ ବଞ୍ଚାଇବା ପାଇଁ ଅପରେସନ୍ ଚାଲିଥିଲା। ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ। ତଥାପି ସେ ଆଖିବୁଜିଛି।
ଉଦ୍ଧାରକାରୀ ଦଳ ତାଙ୍କୁ ବାହାର କରିଥିଲେ ଏବଂ ପୋଲିସ ଆର୍ଯ୍ୟନଙ୍କ ମୃତଦେହକୁ ଦୌସା ଜିଲା ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖିଥିଲା। ଶିଶୁର ମାତାପିତାଙ୍କ ଅବସ୍ଥା ଖରାପ ହୋଇ ପଡିଥିବା ବେଳେ ତାଙ୍କ ଗାଁ କାଲିଖାଦରେ ମଧ୍ୟ ଶୋକର ଲହରି ଖେଳିଯାଇଛି।
ସୂଚନାଯୋଗ୍ୟ ଯେ ଆର୍ଯ୍ୟନଙ୍କୁ ବଞ୍ଚାଇବା ପାଇଁ ଏସଡିଆରଏଫ ଏବଂ ଏନଡିଆରଏଫ ଦଳ ଯଥାସମ୍ଭବ ଚେଷ୍ଟା କରିଥିଲେ। ଏକ ପାଇଲିଂ ମେଶିନ ବ୍ୟବହାର କରି ବୋରୱେଲଠାରୁ କିଛି ଦୂରରେ ଏକ ନୂତନ ଗାତ ଖୋଳା ଯାଇଥିଲା । ଏନଡିଆରଏଫ କର୍ମଚାରୀଙ୍କୁ ୧୫୦ ଫୁଟ ତଳକୁ ଖସାଯାଇଥିଲା। ଶେଷରେ ତାକୁ ବୋରଓ୍ୱେଲ ଗତ ଭିତରୁ ଉଦ୍ଧାର କରାଯାଇଥିଲା। ସେ ଅଚେତ ଥିବାରୁ ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଆର୍ଯ୍ୟନକୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ଗରମ ଏବଂ ଅସ୍ୱାସ୍ଥକର ପରିବେଶ ଯୋଗୁ ସେ ଆଖିବୁଜିଥିବା କୁହାଯାଉଛି।
Powered by Froala Editor