ଦିଲ୍ଲୀରେ GRAP ନିୟମ କୋହଳ
ବାୟୁ ଗୁଣବତ୍ତାରେ ଉନ୍ନତି ପରେ ଦିଲ୍ଲୀରେ ଲାଗୁ ହୋଇଥିବା GRAP ନିୟମକୁ କୋହଳ କରିଦିଆଯାଇଛି। ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ପର୍ଯ୍ୟାୟ -୪ ଏବଂ ୩ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଗୁରୁବାର ଦିଲ୍ଲୀରେ ଏକ୍ୟୁଆଇ (ବାୟୁ ମାନକ ସୂଚକାଙ୍କ) ୧୬୧ ରହିଥିବାରୁ କଟକଣା ପ୍ରତ୍ୟାହାର ପାଇଁ ଅନୁମତି ଦିଆଯାଇଛି। ଦୀପାବଳି ପରଠାରୁ ଦିଲ୍ଲୀର ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ରହୁଥିଲା। ମାନଦଣ୍ଡ ଅନୁଯାୟୀ ୧୦୧-୨୦୦ ଏକ୍ୟୁଆଇକୁ ସ୍ବାଭାବିକ କୁହାଯାଉଥିବାବେଳେ ୪୦୧-୫୦୦କୁ ଅତି ସାଂଘାତିକ କୁହାଯାଇଥିଲା।
ପ୍ରଦୂଷଣ ସ୍ଥିତିରେ ଉନ୍ନତି ଯୋଗୁଁ ଦିଲ୍ଲୀରେ ଲାଗୁ କରାଯାଇଥିବା ଗ୍ରାପ୍-୪ କଟକଣା ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ତେବେ ଏହି ସମସ୍ତ ଅଞ୍ଚଳରେ ଗ୍ରାପ୍-୨ ବଳବତ୍ତର ରହିବ। ଶୁଣାଣି ସମୟରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗକୁ ଗ୍ରାପ୍-୩ର କିଛି ଅତିରିକ୍ତ ପଦକ୍ଷେପକୁ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟାଇନ୍ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯଦି ବାୟୁ ଗୁଣବତ୍ତା ସୂଚକାଙ୍କ ୩୫୦ ଅତିକ୍ରମ କରେ, ତେବେ ତୃତୀୟ ପର୍ଯ୍ୟାୟ ପ୍ରତିବନ୍ଧକ ଲାଗୁ ହେବ ଏବଂ ଯଦି ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କରେ, ତେବେ ଚତୁର୍ଥ ପର୍ଯ୍ୟାୟ ପ୍ରତିବନ୍ଧକ ପୁଣିଥରେ ଲାଗୁ ହେବ। କୋର୍ଟ କହିଛନ୍ତି ଯେ ଗତ ଚାରି ଦିନ ମଧ୍ୟରେ ଜାତୀୟ ରାଜଧାନୀ ଅଞ୍ଚଳରେ (ଏନସିଆର) AQI ସ୍ତର ୩୦୦ରୁ ଅଧିକ ହୋଇନାହିଁ।
Powered by Froala Editor