ଆସାମର ରେଷ୍ଟୁରାଣ୍ଟ, ହୋଟେଲ, ସର୍ବସାଧାରଣ ସ୍ଥାନରେ ଗୋ’ମାଂସ ବ୍ୟାନ
ଆସାମ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋ’ମାଂସ ଉପରେ ଲାଗିଛି ସଂପୂର୍ଣ୍ଣ ପ୍ରତିବନ୍ଧକ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆମେ ନିଷ୍ପତ୍ତି ନେଇଛୁ ଯେ, କୌଣସି ମଧ୍ୟ ରେଷ୍ଟୁରାଣ୍ଟ ବା ହୋଟଏଲରେ ଗୋମାଂସ ପରସା ଯିବନି।
ଦିଲ୍ଲୀରେ ଆସାମ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଅନ୍ୟ ମନ୍ତ୍ରୀମାନେ ଯୋଡ଼ି ହୋଇଥିଲେ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହାରି ଭିତରେ ଆସାମର ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏନେଇ ସେ ଏକ ପ୍ରେସମିଟରେ ଘୋଷଣା କରିଥିବାବେଳେ ଏହି ସମୟର ଭିଡିଓ ନିଜ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।
ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଆମେ ଆସାମରେ ଗୋହତ୍ୟା ରୋକିବାକୁ ୩ ବର୍ଷ ପୂର୍ବରୁ ଆଇନ ଆଣିଥିଲୁ। ବର୍ତ୍ତମାନ ଅମେ ନିଷ୍ପତ୍ତି ନେଇଛୁ ଯେ, ଆସାମରେ କୌଣସି ମଧ୍ୟ ରେଷ୍ଟୁରାଣ୍ଟ ବା ହୋଟେଲରେ ଗୋମାଂସ ପରସା ଯିବନି ଏବଂ ଏଥିସହ ଏହାକୁ କୌଣସି ସାର୍ବଜନୀନ ସ୍ଥାନରେ ପରସା ଯିବନି। ଏହାକୁ ଏହିସବୁ ସ୍ଥାନରେ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
Powered by Froala Editor