ସମ୍ଭଲ ଯିବା ବେଳେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୋଲିସ
ଉତ୍ତରପ୍ରଦେଶର ସମ୍ଭଲରେ ଘଟିଥିବା ହିଂସାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ସମ୍ଭଲ ବାହାରିଥିଲେ। ପୋଲିସ ତାଙ୍କୁ ଗାଜିପୁର ସୀମାରେ ଅଟକାଇଥିଲା। ରାହୁଲଙ୍କ ସହ ତାଙ୍କ ଭଉଣୀ ତଥା ୱାୟନାଡ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଥିଲା। ଫଳରେ ଏଠାରେ ଏକ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଥିଲା।
ରାହୁଲ ଏବଂ ପ୍ରିୟଙ୍କାଙ୍କୁ ପୋଲିସ କହିଛି ଯେ ସମ୍ଭଲରେ ବିଏନଏସର ଧାରା ୧୬୩ ଲାଗୁ ହୋଇଥିବାରୁ ପ୍ରଶାସନ ନିଷେଧାଦେଶ ଜାରି କରିଛି ତେଣୁ ସେମାନେ ସେଠାକୁ ଯାଇପାରିବେ ନାହିଁ। ସେପଟେ ରାହୁଲ ପୋଲିସକୁ ଅନୁରୋଧ କରିଥିବା ସୂଚନା ମିଳିଛି।
ଏହି ସମୟର ଏକ ଭିଡିଓ ସୋଶାଲ ମିଡିଆରେ ଶେୟାର କରିଛନ୍ତି ରାହୁଲ ଗାନ୍ଧୀ। ଏଥିରେ ସେ ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ପୋଲିସ ସମେତ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି।
ୟୁପି କଂଗ୍ରେସ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେଙ୍କ କହିବାନୁସାରେ, ରାହୁଲ ଗାନ୍ଧୀ ତାଙ୍କୁ ଏକୁଟିଆ ଯିବାକୁ ପୋଲିସକୁ ଅନୁରୋଧ କରିଛନ୍ତି। ଯଦି ତୁମେ ମୋ କାରରେ ଯିବାକୁ ଚାହୁଁନାହଁ, ତେବେ ମୋତେ ତୁମ କାରରେ ନେଇଯାଅ। ତେବେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ଏହାର ଅନୁମତି ଦେଇନାହିଁ।
ପ୍ରାୟ ୨ ଘଣ୍ଟାର ଡ୍ରାମା ପରେ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଫେରିବାକୁ ପଡ଼ିଛି। ଏନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ବିରୋଧୀ ଦଳର ନେତା, ତାଙ୍କର ସାମ୍ବିଧାନିକ ଅଧିକାର ଅଛି, ତାଙ୍କୁ ପୀଡିତ ପରିବାରଙ୍କୁ ଭେଟିବାକୁ ଦିଆଯିବା ଉଚିତ। ତାଙ୍କୁ ଏପରି ଅଟକାଯାଇପାରିବ ନାହିଁ।
Powered by Froala Editor