ବାହାନଗା ଟ୍ରାଜେଡି: ୩ ଅଭିଯୁକ୍ତଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ
କଟକ: ବହୁଚର୍ଚ୍ଚିତ ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ହୋଇଥିବା ୩ ରେଳ କର୍ମଚାରୀଙ୍କୁ ମିଳିଲା ବଡ ଆଶ୍ବସ୍ତି । ଏହି ତିନି କର୍ମଚାରୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏମାନେ ହେଲେ ସିନିୟର ସେକ୍ସନ ଇଂଜିନିୟର (ସିଗନାଲ) ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଖାନ ଓ ଟେକ୍ନିସିଆନ ପପୁ ଯାଦବ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ ଏହି ମାମଲାର ତଦନ୍ତ କରି ୩ ରେଳ କର୍ମଚାରୀଙ୍କ ଦାୟିତ୍ବରେ ଅବହେଳା ପାଇଁ ଏହି ଦୁର୍ଘଟଣା ଘଟିଥିବା ଦର୍ଶାଇ ଗିରଫ କରିଥିଲା ।ତଳକୋର୍ଟରେ ଏମାନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ୩ କର୍ମଚାରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଭିଯୁକ୍ତମାନେ ମାମଲାର ସାକ୍ଷ୍ୟମାନଙ୍କୁ ପ୍ରଭାବିତ କରିବେ ନାହିଁ ଏବଂ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ଜାମିନ ସର୍ତ୍ତାବଳିରେ ସ୍ପଷ୍ଟ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତବର୍ଷ (୨୦୨୩) ଜୁନ ୨୩ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିଲା ଏହି ଭୟଙ୍କର ତ୍ରିକୋଣୀୟ ରେଳ ଦୁର୍ଘଟଣା । ହାଓ୍ବଡା-ଚେନ୍ନାଇ ‘କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ’ ଦ୍ରୁତଗତିରେ ବାହାନଗା ଷ୍ଟେସନ ଅତିକ୍ରମ କରୁଥିବା ବେଳେ ମେନ-ଲାଇନରୁ ଲୁପ-ଲାଇନରେ ପ୍ରବେଶ କରି ଛିଡା ହୋଇଥିବା ଏକ ମାଲଗାଡିକୁ ଧକ୍କା ଦେଇଥିଲା । ପରେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ଆସୁଥିବା ‘ଯଶୋବନ୍ତପୁର- ହାଓ୍ବଡା ହମସଫର ଏକ୍ସପ୍ରେସ୍ ’ ମଧ୍ୟ ଲାଇନଚ୍ୟୁତ ବଗିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ତ୍ରିକୋଣୀୟ ଦୁର୍ଘଟଣାରେ ପ୍ରାୟ ୩ଶହ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।
Powered by Froala Editor