ଭାରତୀୟ ରେଳ : ଆୟ ଶହେ ଟଙ୍କା, ବ୍ୟୟ ୯୭ ଟଙ୍କା ୪୫ ପଇସା
ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବ ଲାଗି ରହିଥିବା ବେଳେ ଭାରତୀୟ ରେଳ ଏହାର ପରିଚାଳନା ଅନୁପାତରେ ଉନ୍ନତି ଆଣିପାରିଛି । ୨୦୨୦-୨୧ରେ ରେଳବାଇର ପରିଚାଳନା ଅନୁପାତ ୯୭.୪୫ ପ୍ରତିଶତ ରହିଛି । ଅର୍ଥାତ ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ଏହା ୯୭ ଟଙ୍କା ୪୫ ପଇସା ବ୍ୟୟ କରିଛି । ୨୦୧୯-୨୦ରେ ଏହି ଅନୁପାତ ୯୮ ଟଙ୍କା ୩୬ ପଇସା ଥିଲା । ରେଳବାଇର ପରିଚାଳନା ଅନୁପାତ ହ୍ରାସ ପାଇଥିବା ଏକ ଆରଟିଆଇ ଉତ୍ତରରୁ ଜଣାପଡ଼ିଛି । ଯେକୌଣସି ସଂସ୍ଥାର ପରିଚାଳନା ଦକ୍ଷତା ମାପିବା ଲାଗି ପରିଚାଳନା ଅନୁପାତ ବ୍ୟବହାର କରାଯାଏ । ପ୍ରତି ୧୦୦ ଟଙ୍କା ଆୟ ପାଇଁ କେତେ ଟଙ୍କା ବ୍ୟୟ ହେଉଛି ତାହା ବିଚାରକୁ ନିଆଯାଏ । ଯେଉଁ ସଂସ୍ଥାର ଏହି ଅନୁପାତ ଯେତେ ଅଧିକ ତା’ ପାଖରେ ଅଭିବୃଦ୍ଧି ଓ ସମ୍ପ୍ରସାରଣ ଲାଗି ସେତେ କମ୍ ପାଣ୍ଠି ରହିଥିବା ବିଶ୍ୱାସ କରାଯାଏ । ପରିଚାଳନା ଖର୍ଚ୍ଚ ଯେତେ କମ୍ ହେବ ତାହା ସଂସ୍ଥା ପାଇଁ ସେତେ ଭଲ ବୋଲି ବିଚାର କରାଯାଏ । ରେଳବାଇ ଏହାର ପରିଚାଳନା ଅନୁପାତରେ ଉନ୍ନତି ଆଣିପାରିଥିବାର ଅର୍ଥ ହେଉଛି ଏହା ଟ୍ରେନ୍ ଚଳାଚଳରେ ହେଉଥିବା ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିପାରିଛି । ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ସେନେଇ ଯେଉଁ କ୍ଷତି ହୋଇଛି ତାହାକୁ ମାଲ୍ ପରିବହନ ଜରିଆରେ ରେଳବାଇ ଭରଣା କରିପାରିଛି । ଟ୍ରେନ୍ ଚଳାଚଳରେ ହେଉଥିବା ଖର୍ଚ୍ଚକୁ ରେଳବାଇ କଡ଼ାକଡ଼ି କରିଥିବା ବେଳେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରୁଛି । ବିଦୁ୍ୟତକରଣରେ ବିଗତ ସାତ ବର୍ଷରେ ହୋଇଥିବା ନିବେଶ ଯୋଗୁଁ ଡିଜେଲ୍ କିଣାରେ ହେଉଥିବା ଖର୍ଚ୍ଚ ହ୍ରାସ ପାଇଛି ଓ ରେଳବାଇ ଅଧିକ ପରିବେଶ ମିତବ୍ୟୟୀ ହୋଇପାରିଛି । ଅନେକ ରୁଟର ବିଦୁ୍ୟତକରଣ ହୋଇଥିବାରୁ ରେଳବାଇ ୯୫୦୦ କୋଟି ଟଙ୍କା ସଞ୍ଚୟ କରିଛି । ସେହିପରି ବିଭିନ୍ନ ଶୁଳ୍କରୁ ୪୦୦୦ କୋଟି ଟଙ୍କା ଓ ସାମଗ୍ରୀ ଓ ସେବାର ସଂଗ୍ରହରୁ ୩୦୦୦ କୋଟି ଟଙ୍କା ସଞ୍ଚୟ କରିଛି । ୨୦୨୦-୨୧ରେ ରେଳବାଇ ୧,୨୩୨.୬୩ ନିୟୁତ ଟନ ମାଲ୍ ପରିବହନ କରିଛି ଯାହା ୨୦୧୯-୨୦ ତୁଳନାରେ ୧.୯୩% ଅଧିକ । ମାଲ୍ ପରିବହନରୁ ରେଳବାଇ ୧,୧୭,୩୮୬ କୋଟି ଟଙ୍କା ଆୟ କରିଛି ।
Powered by Froala Editor