ଏନିଙ୍କ ସଂଘର୍ଷ କାହାଣୀ: ମେଳାରେ ଆଇସକ୍ରିମ୍ ବିକ୍ରି କରୁଥିଲେ, ଏବେ ସବ୍-ଇନ୍ସପେକ୍ଟର

ମଣିଷର ଉଦ୍ୟମ ତାକୁ ଯେକୌଣସି ପରିସ୍ଥିତିର ସାମନା କରିବାକୁ ଶକ୍ତି ଦିଏ । ଯେତେ ବାଧା ବିଘ୍ନ ଆସିଲେ ବି ସେ ସବୁ କିଛି ଆଡେଇ ଯାଏ । ଏଭଳି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ପାଲଟିଛନ୍ତି ୩୧ ବର୍ଷୀୟା ଏନି ଶିବ । କେରଳରେ ରହୁଥିବା ଏନି ଶିବ ଜୀବନରେ ବହୁ ସଂଘର୍ଷ କରିଛନ୍ତି । ସ୍ୱାମୀ ଛାଡିଦେବା ପରେ ନିଜ ପିଲାକୁ ଧରି ସେ ଲେମୋନେଡ୍ ଓ ଆଇସକ୍ରିମ୍ ବିକ୍ରି କରୁଥିଲେ । ଶେଷରେ ଅନେକ କଷ୍ଟ ସହି ସବ୍ଇନ୍ସପେକ୍ଟର ହୋଇଛନ୍ତି । ଏନିଙ୍କ ଜୀବନ କାହାଣୀ ଏବେ ଅନେକଙ୍କ ପାଇଁ ଉଦାହରଣ ପାଲଟିଛି ।
କେରଳର ତିରୁଅନନ୍ତପୁରମ କାଞ୍ଜିରାମକୁଲମରେ ରହୁଥିବା ଏସପି ଏନି ୨୧ ବର୍ଷରେ ତାଙ୍କ ସ୍ଵାମୀଙ୍କ ସହ ବିବାହ ବେଚ୍ଛେଦ କରିଥିଲେ। ୮ ମାସର ଶିଶୁଙ୍କୁ ଧରି ସେ ସ୍ଵାମୀଙ୍କୁ ଛାଡି ଚାଲିଆସିଥିଲେ। ତାଙ୍କର ବାପା ମା ତାଙ୍କୁ ଘରେ ରଖିବାକୁ ମନା କରିଦେଇଥିଲେ। ଏହାପରେ ସେ ତାଙ୍କର ଜେଜେ ମାଙ୍କ ଘରେ ଯାଇ ରହିବାକୁ ଲାଗିଲେ। ପେଟ ପୋଷିବାକୁ କାମଧନ୍ଦା କଲେ। ଏପରିକି ଲେମ୍ବୁ ବିକ୍ରି କଲେ, ମେଳା ମହୋତ୍ସବରେ ଆଇସକ୍ରିମ୍ ବି ବିକ୍ରି କଲେ । ହେଲେ ଏତେ ସଙ୍ଘର୍ଷ ମଧ୍ୟରେ ସେ ତାଙ୍କର ସ୍ଵପ୍ନ ଭୁଲି ନଥିଲେ। ଏବେ ସେ ୩୧ ବର୍ଷର ହୋଇଛନ୍ତି। ଦୀର୍ଘ ୧୦ ବର୍ଷର ସଙ୍ଘର୍ଷ ପରେ ସେ ବରକଳା ପୋଲିସ ଷ୍ଟେସନର ସବ୍-ଇନସପେକ୍ଟର ରୂପରେ ନିଯୁକ୍ତ ହୋଇଛନ୍ତି। ଗତ ଶନିବାର ସବ୍ଇନ୍ସପେକ୍ଟର ରୂପେ କାର୍ଯ୍ୟାଭାର ସମ୍ଭାଳିଛନ୍ତି। ତାଙ୍କର ଏହି ସଙ୍ଘର୍ଷମୟ କାହାଣୀ ଶୁଣିବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଫିଲ୍ମ ତାରକାମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଗଣମାଧ୍ୟମକୁ ଶିବ କହିଛନ୍ତି, ବରକଳା ଥାନାରେ ମୋର ନିଯୁକ୍ତି ହୋଇଥିବା କଥା ଅଳ୍ପ ଦିନ ତଳେ ଜାଣିଲି। ସାହାଭରସା ନ ଥାଇ ଛୁଆଟିକୁ ଧରି ସେହି ଜାଗାରେ ହିଁ ମୁଁ ଅନେକ କାନ୍ଦିଥିଲି। ବରକଳା ଶିବଗିରି ଆଶ୍ରମ ଷ୍ଟଲ୍ରେ ଲେମୋନେଡ୍, ଆଇସ୍କ୍ରିମ୍ ଏବଂ ହସ୍ତକର୍ମ ଭଳି ବହୁ ଛୋଟମୋଟ ବେପାର କଲି। ସବୁଥିରେ ବିଫଳ ହେଲି। ତା'ପରେ ଜଣେ ବ୍ୟକ୍ତି ମତେ ପଢ଼ିବାକୁ ଟଙ୍କାପଇସା ଦେବା ସହ ସବ୍-ଇନ୍ସ୍ପେକ୍ଟର୍ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଲେ।
Powered by Froala Editor