ଚଳନ୍ତା ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ

ଚଳନ୍ତା ବିମାନରୁ ଡେଇଁ ପଡ଼ିଲେ ଜଣେ ଯାତ୍ରୀ । ଏ ଅଘଟଣ ଲସ୍ ଏଞ୍ଜେଲସ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ଘଟିଛି । ଶୁକ୍ରବାର ରାତିରେ ବ୍ୟକ୍ତି ଜଣକ ବିମାନରୁ ଡେଇଁ ପଡିବା ପରେ ତାଙ୍କୁ ପୁଲସ ଗିରଫ କରିଛି । ସେଠାରୁ ଡାକ୍ତରଖାନା ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ‘ଦି ଫେଡେରାଲ୍ ଆଭିଏସନ୍ ଆଡ୍ମିନିଷ୍ଟ୍ରେସନ୍’ କହିବା ଅନୁସାରେ, ବିମାନ ଆରୋହଣ କରିଥିବା ଅନ୍ୟ କୌଣସି ବ୍ୟକ୍ତି ଏଥିରେ ଆହତ ହୋଇ ନାହାନ୍ତି। ଯାତ୍ରୀଜଣଙ୍କର ଏଭଳି କାଣ୍ଡ ଯୋଗୁଁ ତିନି ଘଣ୍ଟା ପରେ ମଧ୍ୟ ବିମାନଟି ଉଡ଼ାଣ ଆରମ୍ଭ କରି ପାରି ନଥିଲା।
ସଲ୍ଟ୍ ଲେକ୍ ସିଟି ଅଭିମୁଖେ ବାହାରିଥିବା ‘ସ୍କାଇୱେଷ୍ଟ୍’ ଦ୍ବାରା ପରିଚାଳିତ ‘ୟୁନାଇଟେଡ୍ ଏକ୍ସପ୍ରେସ୍ ଫ୍ଲାଇଟ୍ ୫୩୬୫ ସନ୍ଧ୍ୟା ୭ଟା ପରେ ପରେ ଫାଟକ ନିକଟରୁ ପଛୁଆ ଫେରୁଥିବା ବେଳେ ଯାତ୍ରୀଜଣକ ବିମାନରୁ ବାହାରି ଯିବା ଲାଗି ଉଦ୍ୟମ କରିଥିଲେ। ପ୍ରଥମେ ସେ କକ୍ପିଟ୍ ମଧ୍ୟକୁ ପ୍ରବେଶ କରିଥିଲେ, କିନ୍ତୁ ତା’ପରେ କୌଣସି ମତେ ସର୍ଭିସ୍ ଡୋର୍ ଖୋଲି ପକାଇ ଏମର୍ଜେନ୍ସି ସ୍ଲାଇଡ୍ ବାଟେ ରାସ୍ତା ଉପରକୁ ଡେଇଁ ପଡ଼ିଥିଲେ। ବିମାନ ବନ୍ଦର କର୍ତ୍ତୃପକ୍ଷମାନେ ଟ୍ୟାକ୍ସିୱେ ବାଟେ ତାଙ୍କୁ ତୁରନ୍ତ ଧରି ହାଜତକୁ ନେଇଥିଲେ।
Powered by Froala Editor