ଅନଲାଇନ କ୍ଲାସରେ ବି ଯୌନ ଉତ୍ପୀଡ଼ନ
ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ ଅନଲାଇନ ପାଠପଢ଼ାରେ ବି ଛାତ୍ରୀମାନେ ଯୌନ ଉତ୍ପୀଡ଼ନର ଶିକାର ହେବାରୁ ସଂପୂର୍ଣ୍ଣ ସୁରକ୍ଷିତ ରହିପାରି ନାହନ୍ତି । ।ତାମିଲନାଡ଼ୁର କେତେକ ପ୍ରତିଷ୍ଠିତ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅନଲାଇନ କ୍ଲାସ ସମୟରେ ଅଶାଳୀନ ବାର୍ତ୍ତା ପଠାଇବା, ଅଶ୍ଳୀଳ ଚଳଚ୍ଚିତ୍ରର ଲିଙ୍କ ପଠାଇବା ଆଦି ମାମଲା ସାମ୍ନାକୁ ଆସିଛି । ଜଣେ ଶିକ୍ଷକ ଏହି ମାମଲାରେ ଗିରଫ ହୋଇଥିବା ବେଳେ ଆଉ କେତେକ ଶିକ୍ଷକଙ୍କ ଆପତ୍ତିଜନକ କାର୍ଯ୍ୟ ନେଇ ତଦନ୍ତ ଜାରି ରହିଛି । ଏମ କେ ଷ୍ଟାଲିନ ସରକାର ଏହାକୁ ରୋକିବା ପାଇଁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଅନଲାଇନ କ୍ଲାସ ଉପରେ ନଜର ରଖିବା ପାଇଁ ଏହାର ରେକର୍ଡିଂ କରାଯିବା ସହ ଶିକ୍ଷକଙ୍କ ଆଚରଣ ତଦାରଖ କରିବା ନିମନ୍ତେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ତୁରନ୍ତ ଅଭିଯୋଗ ଜଣାଇବା ପାଇଁ ହଟଲାଇନ ନମ୍ବର ବ୍ୟବସ୍ଥା ମଧ୍ୟ ହୋଇଛି । ଅନଲାଇନ କ୍ଲାସରେ କିଭଳି ଯୌନ ଉତ୍ପୀଡ଼ନ ଚାଲିଛି ସେ ବାବଦରେ କେତେକ ଛାତ୍ରୀ ଗଣମାଧ୍ୟମରେ ମୁହଁ ଖୋଲିବା ପରେ ଦୋଷୀ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲ ଦାବି କରିଛନ୍ତି । ଜଣେ ଶିକ୍ଷକ ଏକ ତଉଲିଆ ପିନ୍ଧି ଅନଲାଇନ କ୍ଲାସ କରିବା ସହ ଛାତ୍ରୀମାନଙ୍କୁ ଅଶ୍ଳୀଳ ଫିଲ୍ମର ଲିଙ୍କ ପଠାଉଥିବା ଜଣାପଡ଼ିବା ପରେ ଏହା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା । ଅନେକ ଛାତ୍ର ମଧ୍ୟ ଅନଲାଇନ କ୍ଲାସର ସୁଯୋଗ ନେଇ ଛାତ୍ରୀମାନଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ନଜରକୁ ଆସିବା ପରେ ଏହାର ଖୋଳତାଡ଼ ହୋଇଥିଲା ଏବଂ ତାହା ସତ୍ୟ ପ୍ରମାଣିତ ହୋଇଛି । ଦେଶବ୍ୟାପୀ ଏବେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିଛି ।
Powered by Froala Editor