ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ିଗଲେ ଓଡ଼ିଆ ମହିଳା, ପାକିସ୍ତାନ ଯିବା ବେଳେ ଧରାପଡ଼ିଲେ
ସମ୍ବଲପୁର : ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ିଗଲେ ଓଡ଼ିଆ ମହିଳା । ମୋବାଇଲରେ ପ୍ରେମ ଏତେ ଗଭୀର ହୋଇଗଲାଯେ, ସେ ପାକିସ୍ତାନ ବି ଚାଲିଯିବାକୁ ବସିଥିଲେ । ୫ ବର୍ଷର ଝିଅର ମମତା ବି ତୁଚ୍ଛ ହୋଇଗଲା । ହେଲେ ସୀମାରେ ଧରାପଡ଼ିବା ପରେ ଏବେ ସେ ଭୁବନେଶ୍ୱର ଫେରିଛନ୍ତି । ତାଙ୍କ ବୟସ ୨୫ ବର୍ଷ ହୋଇଥିବାବେଳେ ଘର ଭୁବନେଶ୍ୱର । ହେଲେ ଗତ ୬ ବର୍ଷ ହେଲା ସମ୍ବଲପୁରରେ ବିବାହ ପରେ ସେଠାରେ ରହି ଆସୁଛନ୍ତି । ମହିଳାଙ୍କର ୫ ବର୍ଷର ଝିଅଟିଏ ଅଛି । ଗତ ୬ ମାସ ତଳେ ମୋବାଇଲରେ ସେ ‘ଆଜାଦ’ ଆପ ଡାଉନ ଲୋଡ କରିଥିଲେ । ସେଥିରେ କଥାବାର୍ତ୍ତା ଓ ଚାଟ କରିବା ସମୟରେ ପାକିସ୍ତାନ ରାଜଧାନୀ ଇସଲାମାବାଦର ଜଣେ ବିବାହିତ ପୁରୁଷଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ସେବେଠାରୁ ଆଜାଦ ଆପ୍ସ ଓ ହ୍ୱାଟସ ଆପରେ ଉଭୟଙ୍କ ଭିତରେ ବଢ଼ିଥିବା ବନ୍ଧୁତ୍ୱ ଓ ସମ୍ପର୍କ । ମଧୁରତା ଏତେ ଆଗକୁ ବଢ଼ି ଯାଇଥିଲା ଯେ, ମହିଳା ଜଣକ ପାକିସ୍ତାନ ଚାଲିଯିବାକୁ ବାହାରିଥିଲେ । ସମ୍ବଲପୁରରୁ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଯାଇଥିଲେ । ସେଠାରୁ ବସ ଯୋଗେ ପଞ୍ଜାବର ଅମୃତସରରେ ପହଞ୍ଚିଥିଲେ । କରତାରପୁର କରିଡର ଡେରା ବାବା ନାନକ ସାହେବ ନିକଟରେ ସୀମା ପାର ହେଉଥିବା ବେଳେ ତାଙ୍କୁ ଧରିଥିଲେ ବିଏସଏଫ ଯବାନ । ତାଙ୍କଠାରୁ ୨୫ ଭରି ଓଜନର ସୁନା ଓ ରୂପା ଅଳଙ୍କାର ଜବତ କରିଥିଲେ । ତାଙ୍କର ପାସପୋର୍ଟ ନଥିଲା । ପଚରା ଉଚରା କଲାବେଳେ ଧରାପଡ଼ିଥିଲା ପୂରା କାହାଣୀ । ପାକିସ୍ତାନ ଯୁବକଙ୍କ ନାମ ମହମ୍ମଦ ଖାନ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଏତେ ନିବିଡ ହୋଇଥିଲା ଯେ ରାତାରାତି ମହିଳା ଜଣକ ଓଡ଼ିଶାରୁ ପଞ୍ଜାବ ପହଞ୍ଚି ଯାଇଥିଲେ । ପରେ ବିଏସଏଫ ଏହି ମହିଳାଙ୍କ ପଞ୍ଜାବ ପୁଲିସର ଜିମା ଦେଇଥିଲେ । ପଞ୍ଜାବ ପୁଲିସ ଓଡ଼ିଶା ପୁଲିସ ସହ କଥାବାର୍ତ୍ତା କରି ମହିଳାଙ୍କୁ ଭୁବନେଶ୍ୱର ଆଣି ତାଙ୍କ ପରିବାର ଜିମା ଦେଇଛନ୍ତି । ତେବେ ମହିଳାଙ୍କ ପ୍ରେମ ପାଇଁ ସୀମା ପାର କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ବଢ଼ିଛି ।