ନିର୍ବାଚନୀ ବଣ୍ଡ ଦୁର୍ନୀତି ଅଭିଯୋଗ: ତଦନ୍ତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:ପ୍ରତ୍ୟାହୃତ ହୋଇ ସାରିଥିବା ନିର୍ବାଚନୀ ବଣ୍ଡ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ନିର୍ବାଚନୀ ବଣ୍ଡ ଜରିଆରେ ବିଭିନ୍ନ ରାଜନୀତିକ ଦଳ ପାଇଥିବା ଚାନ୍ଦାର ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଏସ୍ଆଇଟି ଦ୍ୱାରା କରିବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। କିନ୍ତୁ ଏହାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରି ଦେଇଛନ୍ତି।
ବିଭିନ୍ନ ରାଜନୀତିକ ଦଳ ଓ କର୍ପୋରେଟ ଡୋନର ବା ଚାନ୍ଦା ଦାତାଙ୍କ ମଧ୍ୟରେ ନିର୍ବାଚନୀ ବଣ୍ଡ ଜରିଆରେ ଅନୈତିକ ଡିଲ୍ ହୋଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜନୀତିକ ଦଳ ବିଶେଷ କରି କ୍ଷମତାରେ ଥିବା ଦଳଗୁଡ଼ିକ ବଡ଼ବଡ଼ ବ୍ୟବସାୟୀ ଓ ସଂସ୍ଥାମାନଙ୍କ ଠାରୁ ଚାନ୍ଦା ଦେଇ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି।
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏବେ ଠାରୁ ତଦନ୍ତ ନିର୍ଦ୍ଦେଶ ଦେବା ଅପରିପକ୍ୱ ଓ ଅନୁଚିତ ହେବ। ଆବେଦନକାରୀ ସାଧାରଣ ଆଇନ ବ୍ୟବସ୍ଥା ଅନୁଯାୟୀ ନିଜର ଅଭିଯୋଗ ଦାଖଲ କରିପାରିବେ।ଯଦି ସେମାନଙ୍କ ଅଭିଯୋଗର ତଦନ୍ତ ନ ହେବ କିମ୍ବା ରିପୋର୍ଟ ଦାଖଲ କରା ନ ଯିବ, ତା’ହେଲେ ଆବେଦନକାରୀ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଆସିପାରୀବେ। ନ୍ୟାୟିକ ସମୀକ୍ଷାର ଆବଶ୍ୟକ ଥିବାରୁ କୋର୍ଟ ନିର୍ବାଚନୀ ବଣ୍ଡର ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ। କିନ୍ତୁ ଏହା ସହ ଜଡ଼ିତ ଅପରାଧିକ ଦିଗର ତଦନ୍ତ ଆଇନ ଅନୁସାରେ କରାଯାଇ ପାରିବ। ଅଭିଯୋଗର ତଦନ୍ତ ଯଦି ନ ହେବ, ତା’ହେଲେ କୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ।
Powered by Froala Editor