ଜଜ୍ ଙ୍କ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ମୃତ୍ୟୁଦଣ୍ଡ
ଏକ ଫାଷ୍ଟ-ଟ୍ରାକ୍ କୋର୍ଟର ଜଜ୍ ଗତ ୪ ମାସ ମଧ୍ୟରେ ୧୦ଟି ମାମଲାରେ ରାୟ ଶୁଣାଇ ୨୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ମୁଜଫରନଗରରେ ନଭେମ୍ବର ୨୦୨୫ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ୯ଟି ଗୁରୁତର ଅପରାଧ ମାମଲାରେ ମୋଟ ୨୨ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ୨୦୨୨ରେ ବାରାଣସୀର ଜ୍ଞାନବାପୀ ପରିସରର ଭିଡିଓଗ୍ରାଫି ସର୍ଭେ କରିବାକୁ ଆଦେଶ ଦେଇ ସେ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ଥିଲେ।
ଲକ୍ଷ୍ନୌ ବାସିନ୍ଦା ୪୬ ବର୍ଷୀୟ ଜଜ୍ ଦିବାକର ୨୦୦୯ରେ ଆଜମଗଡ଼ରେ ଅତିରିକ୍ତ ସିଭିଲ୍ ଜଜ୍ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୫ ମେ’ରେ ସେ ସୁଲତାନପୁରରେ ସିଭିଲ୍ ଜଜ୍ ଏବଂ ପ୍ରାୟ ୫ ମାସ ପରେ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଭାବେ ପଦୋନ୍ନତି ପାଇଥିଲେ। ଜଜ୍ ଦିବାକର ୨୦୨୫ ନଭେମ୍ବରରୁ ମୁଜାଫରନଗରରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ଭାବେ କାର୍ଯ୍ୟରତ ଅଛନ୍ତି।
ରେକର୍ଡ ଅନୁଯାୟୀ, ଏପ୍ରିଲ ୬ରେ ଅଧିବକ୍ତା ସମୀର ସୈଫୀ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ସିଙ୍ଗୋଲି ଅଲଭି, ସୋନୁ ଓରଫ ରିଜୱାନ ଏବଂ ଶାଲୁ ଓରଫ ଅରବାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହାର କିଛି ଦିନ ପରେ, ଏପ୍ରିଲ ୨୮ରେ ଶେଖର ହତ୍ୟାକାଣ୍ଡରେ ଦୋଷୀ ମୁକେଶ ଓ ତାଙ୍କ ୩ ପୁଅ ପ୍ରଦୀପ, ସନ୍ଦୀପ ଓ ସୋନୁଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଥିଲା। ସେହିପରି ମେ’ ୩୦ରେ ରାଜେଶ ଦେବୀ-ହିମାଂଶୁ ହତ୍ୟାକାଣ୍ଡରେ ଦୋଷୀ ରଇସଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଜୁନ୍ ୩୦ରେ ରାଜେନ୍ଦ୍ର ସୈନୀ ହତ୍ୟାକାଣ୍ଡରେ ରାମକରଣ ଓରଫ ସାୱନ ଗିରୀ ଏବଂ ଗୀଲୁଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ମିଳିଥିଲା।
ଅଗଷ୍ଟ ୧୩ରେ ସେ ୧୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ୪ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ପବନ କୁମାରଙ୍କ ହତ୍ୟା ମାମଲାରେ ରାମବୀର, ରାଜୀବ, ରାହୁଲ ଓ ହରେନ୍ଦ୍ର କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କ ଉପରେ ୧.୭୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ। ଅଗଷ୍ଟ ୧୨ରେ ପ୍ରାୟ ୨୭ ବର୍ଷ ପୁରୁଣା ଏକ ଅପହରଣ ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ଜଜ୍ ଦିବାକର।
ସରକାରୀ ଅଧିବକ୍ତା କୁଲଦୀପ କୁମାରଙ୍କ କହିବାନୁସାରେ, ଅଦାଲତ ଏହି ଅପରାଧଗୁଡ଼ିକୁ ଅତ୍ୟନ୍ତ ସଙ୍ଗୀନ ବୋଲି ବିବେଚନା କରି ‘ବିରଳରୁ ବିରଳତମ’ ଶ୍ରେଣୀରେ ରଖିଥିଲେ। ଏହାପରେ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରାଯାଇଥିଲା।
Powered by Froala Editor