ଏସବୁ ଲକ୍ଷଣ ଦେଖାଦେଲେ, ହୋଇଥାଏ କିଡ୍ନୀ ଫେଲ୍
କିଡ୍ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ପ୍ରତିଶତ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି। ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍ନୀ କାର୍ଯ୍ୟରହିତ ହୋଇ ପଡ଼ିଥିଲେ ମଧ୍ୟ ଅନ୍ୟ କିଡ୍ନୀଟି ସନ୍ତୋଷଜନକ ଭାବରେ କାର୍ଯ୍ୟ କରି ଚାଲିଥିବାରୁ କିଡ୍ନୀ ଅସୁସ୍ଥତା ବିଷୟରେ କୌଣସି ସୂଚନା ମିଳି ନ ଥାଏ। ଦୁଇଟିଯାକ କିଡ୍ନୀ ସୁସ୍ଥ ଭାବରେ କାମ କରି ଚାଲିଥିବାବେଳେ ବିଭିନ୍ନ କାରଣବଶତଃ ଏହା ହଠାତ୍ ଅକାମୀ ହୋଇପଡ଼େ। ଏପରି ଅବସ୍ଥାକୁ କୁହାଯାଏ ‘ଆକ୍ୟୁଟ ରେନାଲ ଫେଲ୍ୟୁଓର୍’ ବା ଏଆର୍ଏଫ୍। କିଡ୍ନୀ ମଧ୍ୟ ଦେଇ ଯଥେଷ୍ଟ ରକ୍ତ ପ୍ରଭାବିତ ହୋଇ ନ ପାରିବା ଯୋଗୁ ଏହାର ଅକ୍ଷମତା ଉପୁଜେ। ତରଳ ଝାଡ଼ା ବାନ୍ତି ଯୋଗୁ ଡିହାଇଡ୍ରେସନ୍ ହେବା, ଶରୀରରୁ ଅଧିକ ରକ୍ତକ୍ଷୟ ଘଟିବା, ଚର୍ମର ବେଶି ଅଂଶ ପୋଡ଼ିଯିବା, ସଂକ୍ରମଣ ବଢ଼ି ସେପ୍ଟିସିମିଆ ହେବା, ଅଂଶୁଘାତ ହେବା, ବିଷାକ୍ତ ସାପ କାମୁଡ଼ିବା, ବିଷ ଖାଇବା ଇତ୍ୟାଦି କାରଣରୁ ଆକ୍ୟୁଟ୍ କିଡ୍ନୀ ଅକ୍ଷମତା ପ୍ରକାଶପାଏ। ପରିସ୍ରାର ପରିମାଣ କମିଯିବା, ଅଇ ଉଠିବା, ବାନ୍ତି ହେବା, ଭୋକ ମରିଯିବା, ଦୁର୍ବଳତା ଅନୁଭବ କରିବା, ନିଦୁଳିଆ ଲାଗିବା, ଶ୍ୱାସକ୍ରିୟାରେ କଷ୍ଟ ହେବା, ପାଦ ଫୁଲିବା ଆଦି ଏହାର କେତୋଟି ସାଧାରଣ ଲକ୍ଷଣ। ଅନ୍ୟପକ୍ଷରେ ରକ୍ତଚାପ ବଢ଼ି ଦୀର୍ଘଦିନ ଧରି ଅନିୟନ୍ତ୍ରିତ ଅବସ୍ଥାରେ ରହିଲେ, ଡାଇବେଟିସ୍ ନିୟନ୍ତ୍ରଣରେ ନ ଥିଲେ ଯନ୍ତ୍ରଣା କମେଇବା ପାଇଁ ମୁଠା ମୁଠା ପେନ୍କିଲର୍ ଓଷଧ ଖାଇଲେ ପୁରୁଷମାନଙ୍କଠାରେ ଏହାର ପ୍ରଭାବ ପଡ଼େ। ଏପରି ଅବସ୍ଥାକୁ କୁହାଯାଏ ଦୀର୍ଘକାଳୀନ କିଡ୍ନୀ ଅକ୍ଷମତା‘କ୍ରନିକ୍ ରେନାଲ୍ ଫେଲ୍ୟୁଓର୍’ ବା ସିଆର୍ଏଫ୍।
Powered by Froala Editor