ଏହି କାରଣରୁ ୧୮ ବର୍ଷରୁ ଉଦ୍ଧ୍ୱର୍କୁ ଦିଆଯାଉନାହିଁ ଟିକା
ନୂଆଦିଲ୍ଲୀ : ସମ୍ପ୍ରତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ଲୋକ ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ଦାବି କରି ଆସୁଛନ୍ତି । ତେବେ ଏଭଳି ଦାବିକୁ ଅଯୌକ୍ତିକ ବୋଲି ଦର୍ଶାଇଛନ୍ତି ଏମସ ନିଦେ୍ର୍ଧଶକ ଡାକ୍ତର ରଣଦୀପ ଗୁଲେରିଆ ।
ଡାକ୍ତର ଗୁଲେରିଆ କହିଛନ୍ତିଯେ, ଏବେ ଏଭଳି ସମୟ ଆସିନାହିଁ । ଏହାର ପ୍ରଥମ କାରଣ ହେଉଛି ବୟସ୍କ ଲୋକମାନେ କରୋନା ସଂକ୍ରମିତ ହେଲେ ବିପଦର ଆଶଙ୍କା ବଢ଼ିଯାଇଥାଏ । ମୃତୁ୍ୟହାର ବି ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ ପ୍ରଥମେ ସମସ୍ତ ବରିଷ୍ଠମାନଙ୍କୁ ଟିକା ଦେବାର ଆବଶ୍ୟକତା ଅଛି ।
ସେହିପରି ଏବେ ଯଦି ୧୮ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ଟିକା ଦେବା କଥା କୁହାଯାଏ ତେବେ ବଡ଼ ସମସ୍ୟା ସୃଷ୍ଟି ହେବ । ଆମ ଦେଶରେ ୧୮ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ସଂଖ୍ୟା ୯୭ କୋଟି ରହିଛି । ସମସ୍ତଙ୍କୁ ଦୁଇ ଡୋଜ ଟିକା ଦେବାକୁ ପଡ଼ିବ । ଏଥିପାଇଁ ପ୍ରାୟ ୨୦୦ କୋଟି ଡୋଜର ଆବଶ୍ୟକତା ରହିଛି । ଯଦି ବିଶ୍ୱର ସବୁ ଟିକା କମ୍ପାନୀକୁ ଟିକା ମଗାଯାଏ ତଥାପିବି ଏତେ ସଂଖ୍ୟକ ଟିକା ମିଳିବ ନାହିଁ । ତେଣୁ ପ୍ରଥମେ ବରିଷ୍ଠ ଓ ବିଭିନ୍ନ ରୋଗରେ ପୀଡ଼ିତ ଲୋକଙ୍କୁ ଟିକା ଦିଆଯାଉଛି । ଏମିତିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆମେରିକା ଓ ୟୂରୋପ ବି ସମାନ ଆଭିମୁଖ୍ୟ ପୋଷଣ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।