ମୁସଲିମ ମହିଳା ପାଇପାରିବେ ଭରଣପୋଷଣ ଟଙ୍କା
ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଏଣିକି ମୁସଲମାନ ମହିଳା ପାଇପାରିବେ ଭରଣପୋଷଣ ଟଙ୍କା। ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଭରଣ ପୋଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ରାୟରେ ଦର୍ଶାଇଛନ୍ତି । ମୁସଲମାନ ମହିଳାମାନେ CRPC ର ଧାରା ୧୨୫ ଅନୁଯାୟୀ ନିଜ ସ୍ବାମୀଙ୍କ ବିରୋଧରେ ରକ୍ଷଣାବେକ୍ଷଣ ଦାବି ନେଇ ଯାଚିକା ଦାଖଲ କରିପାରିବେ।
ସୂଚନା ଅନୁସାରେ, ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ 2017ରେ ଛାଡ଼ପତ୍ର ହୋଇଥିଲା। ମହିଳା ଜଣକ CRPC ର ଧାରା ୧୨୫ ଅନୁଯାୟୀ ପ୍ରତି ମାସରେ ସେ ସ୍ବାମୀଙ୍କ ଠାରୁ ୨୦ହଜାର ଟଙ୍କା ଭରଣପୋଷଣ ଟଙ୍କା ଦାବି କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଅବଦୁଲ ମସାଦ ଏହାକୁ ଚ୍ୟାଲେଞ୍ଜ କରିଥିଲେ।
ସର୍ବୋଚ୍ଚ ଅଦାଲତର ଜଷ୍ଟିସ ବିଭି ନାଗାରତ୍ନ ଓ ଜଷ୍ଟିସ ଅଗସ୍ତିନ ଗର୍ଗ ମାସିହ ଏହା ଉପରେ ଶୁଣାଣି କରି ଅବଦୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। CRPC ର ଧାରା ୧୨୫ ଅନୁସାରେ ଛାଡ଼ପତ୍ର ପରେ ବି ସ୍ୱାମୀ, ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
Powered by Froala Editor