ସେପ୍ଟେମ୍ବର ୧୭ରୁ ଓଡ଼ିଶାରେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା
ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ଏନେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଉକ୍ତଦିନ ହିଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।
ଏହି ସୁଭଦ୍ରା ଯୋଜନାରେ ଆବେଦନ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ହୋଇପାରିବ । ମହିଳାମାନଙ୍କୁ ସଶକ୍ତ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବିବାହିତ ମହିଳାମାନେ ଏହି ବ୍ୟବସ୍ଥା ଅନୁଯାୟୀ ୫୦,୦୦୦ ଟଙ୍କାର କୁପନ ପାଇବେ । ଏହି ଯୋଜନାରେ ଆବେଦନ କରିବା ପାଇଁ ଅନେକ ଡକ୍ୟୁମେଣ୍ଟ ସବୁ ଆବଶ୍ୟକ । ଅଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ଫଟୋ, ଇନ୍କମ ସାର୍ଟିଫିକେଟ, ରାସନ କାର୍ଡ ଆଦି ଆବଶ୍ୟକ ।
ଏହି ଯୋଜନାର ଲାଭ ଉଠାଇବାକୁ ହେଲେ. ଆପଣ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ । ତେବେ କେବଳ ବିବାହିତ ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ । ପ୍ରତି ପରିବାରର ଜଣଙ୍କୁ ଏହି ଯୋଜନାର ଲାଭ ମିଳିବ । ମହିଳାଙ୍କ ବୟସ ୨୩ରୁ ୫୯ ହୋଇଥିବା ଆବଶ୍ୟକ । ତେବେ ଏଯାବତ ସରକାରଙ୍କ ପକ୍ଷରୁ କୌଣସି ଅଫିସିଆଲ ୱେବସାଇଟ ଲଞ୍ଚ କରିନାହାନ୍ତି । ଖୁବଶୀଘ୍ର ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ ଆସିବ ବୋଲି କୁହାଯାଉଛି ।
ସବୁଠାରୁ ବଡ଼ କଥା ହେଉଛି, ସରକାରୀ ଚାକିରି କରିଥିବା ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ ବୋଲି କୁହାଯାଉଛି । ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶା ଆସି ଏହି ଯୋଜନାର ଲୋକାର୍ପଣ କରିବେ । ଉକ୍ତଦିନ ୫ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଭାଉଚର ଯୋଗାଇ ଦିଆଯିବ ।
Powered by Froala Editor